ନୟାଗଡ଼, (ନୟାଗଡ଼ ଦର୍ପଣ): ବର୍ତ୍ତମାନ ଡିଜିଟାଲ ଯୁଗରେ ସାଇବର ଠକେଇ ସମାଜ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି। ଜନ ସାଧାରଣଙ୍କର କଷ୍ଟ ଉପାର୍ଜିତ ସମ୍ପତ୍ତି ଓ ଅର୍ଥ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ସାଇବର ଠକ। ସାମାନ୍ୟ ଅସାବଧାନତା ହେଲେ ସବୁ କିଛି ଲୁଟ ହୋଇଯାଉଛି ଅନଲାଇନ ମାଧ୍ୟମରେ । ଅତ୍ୟଧିକ ଲୋଭ, ମାଗଣା ପାଇବା ଆଶା, ଭୟ ଯୋଗୁଁ ଆମେ ସାଇବର ଠକେଇର ଶିକାର ହେଉଛେ।ତେଣୁ ଫୋନ କରି ଲୋଭ କିମ୍ବା ଭୟ ଦେଖାଇ ଆଧାର ନମ୍ବର, ବ୍ୟାଙ୍କ ପାସବୁକ ଖାତା ନମ୍ବର, ଏଟିଏମ୍ ନମ୍ବର ମାଗିଲେ ଆମେ ଏଥିପ୍ରତି ସଚେତନ ହୋବା ସହ କିଛି ବି କାଗଜାତ ଦେବା ନାହିଁ। ସାଇବର ଠକେଇକୁ ଲକ୍ଷ କରି ଅକ୍ଟୋବର ମାସ ୨ତାରିଖରୁ ତମାମ ରାଜ୍ୟରେ ସାଇବର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିପାଇଁ ସୁରକ୍ଷା ରଥ ମଧ୍ୟ ରାଜ୍ୟ ସାରା ପରିକ୍ରମା କରି ଲୋକଙ୍କୁ ସଚେତନତା କରୁଛି। ଏହି ପରିପ୍ରେକ୍ଷୀରେ ଶନିବାର ଦିନ ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ପକ୍ଷରୁ ସାଇବର ସୁରକ୍ଷା ରଥକୁ ନାରାୟଣ ଉଚ୍ଚ ବିଦ୍ୟାଳୟ ଠାରେ ଭବ୍ୟ ସ୍ୱାଗତ କରିବା ସହ ଶ୍ରୀ ଶ୍ରୀ ଲଡ଼ୁକେଶ ବାବାଙ୍କ ଉଦ୍ଧେଶ୍ୟରେ ଦୀପ ପ୍ରଜ୍ବଳନ କରି ଉଦଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁଧାକର ସାହୁ(SDPO,Sarankul), ପୁଷ୍ପାଲତା ବେହେରା (IIC,Sarankul), ଗୌରହରି ଜେନା(SI), ନିରଞ୍ଜନ ବଡ଼ଜେନା(SI), ପ୍ରିୟଦର୍ଶିନୀ ବରାଡ଼(SI), ବଂଶୀଧର ସ୍ୱାଇଁ, ହାଇଦର ଅଲ୍ଲୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନ ଷଡ଼ଙ୍ଗୀ, ସଭାପତି ବିକ୍ରମ କେଶରୀ ଦାସ, ବରିଷ୍ଠ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ର, ପ୍ରଜ୍ଞା ପାରମିତା ସାହୁ, ଗୋଦାବରୀ ବସନ୍ତରା (CRCC), ଜନାର୍ଦନ ସାହୁ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଦୁଇ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ ଲାଇନ ଠକେଇ ଶିକାର ହେଲେ ୧୯୩୦ ନମ୍ବରକୁ ଡାଏଲ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ପୋଲିସ ଏବଂ ବିଦ୍ୟାଳୟ କର୍ମଚାରୀଙ୍କ ସହଭାଗିତାରେ ଏହି କାର୍ଯ୍ୟକ୍ରମଟି ସୁଚାରୁ ରୁପେ ସମ୍ପର୍ଣ୍ଣ ହୋଇଥିବାରୁ ସାଧାରଣରେ ବହୁ ପ୍ରଶଂସା କରାଯାଇଛି।

