କେନାଲ ଛକ ଠାରୁ ଓସ୍ତିଆମାଳ ଭାୟା ବୁଢାବୁଢ଼ୀଆଣୀ ଡ୍ୟାମ ଦେଇ ୧୧ କିମି ରାସ୍ତା ନିର୍ମାଣ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଗ୍ରାମାଞ୍ଚଳରେ ସବୁ ପ୍ରକାର ପାଣିପାଗକୁ ସୁହାଉଥବା ଉତ୍ତମ ମାନର ରାସ୍ତା ନିର୍ମାଣ କରାଯିବ । ଏହା ମାଧ୍ୟମରେ ଉଭୟ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ପର୍ଯ୍ୟଟନ ଓ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଯୋଗାଯୋଗ ବ୍ୟବସ୍ଥା ସୁଗମ ହୋଇ ପାରିବ। ଏହା ପରିବହନ ଆବଶ୍ୟକତାକୁ ପୂରଣ କରିବା ସହ ଗ୍ରାମାଞ୍ଚଳର ଆର୍ଥିକ ଓ ସାମାଜିକ ସେବାକୁ ପ୍ରୋତ୍ସାହିତ କରିବ। ଏଭଳି ଲକ୍ଷ୍ୟ ରଖି ଓଡ଼ଗାଁ ବ୍ଲକ ଅନ୍ତର୍ଗତ କେନାଲ ଛକ ଠାରୁ ଓସ୍ତିଆମାଳ ଭାୟା ବୁଢାବୁଢ଼ୀଆଣୀ ଡ୍ୟାମ ଦେଇ ୧୧ କିମି ରାସ୍ତା ନିର୍ମାଣ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ଗ୍ରାମୀଣ କାର୍ଯ୍ୟ ମୁଖ୍ୟ ଯନ୍ତ୍ରୀଙ୍କ ଚିଠି ସଂଖ୍ୟା ୨୮୯୭୫ ପ୍ରକାଶିତ ହୋଇଛି। ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ଉକ୍ତ ରାସ୍ତାଟି ଗ୍ରାମ୍ୟ
ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ବନ୍ଧସାହି, ଶୁଦ୍ରନୂଆପଲ୍ଲୀ, ଯଦୁପୁର, ଚେମେଡି, ଶୁନୁସୁନିଆ, ଧବଳେଇ, ଶାଳିଆଝରି, ଭୋବସର ଓ ଓସ୍ତିଆମାଳ ଆଭ୍ୟନ୍ତରୀଣ ଗ୍ରାମଗୁଡିକ ପାଇଁ ଗ୍ରାମୀଣ ଭିତ୍ତିଭୂମି ଏବଂ ସଂଯୋଗ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଅଟେ। ଉକ୍ତ ରାସ୍ତାଟି ନିର୍ମାଣ ହେବା ଦ୍ବାରା ଗମନାଗମନର ଉନ୍ନତୀକରଣ ସହ ମୁଖ୍ୟସ୍ରୋତରୁ ବଞ୍ଚିତ ଲୋକମାନଙ୍କର ଜୀବନଶୈଳୀରେ ପରିବର୍ତ୍ତନ ହୋଇପାରିବ ବୋଲି ଜଣାପଡିଛି। ବୁଢାବୁଢ଼ୀଆଣି ଡ୍ୟାମ ଓ ବରକନ୍ୟା ଝରଣାରେ ପର୍ଯ୍ୟଟକଙ୍କ ଭିଡ଼ ଜମିବ। ନିରାପଦ ଗମନାଗମନ ଯୋଗୁଁ ପର୍ଯ୍ୟଟକଙ୍କ ଆଗମନକୁ ଦେଖୀ ଉଭୟ ବୁଢ଼ାବୁଢ଼ିଆଣି ଡ୍ୟାମ ଓ ବରକନ୍ୟା ଝରଣାରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗୁଡ଼ିକରେ ଉନ୍ନତି ଘଟିବ। ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଉଦ୍ୟମରେ ମଞ୍ଜୁର ହୋଇଥିବା ଅର୍ଥ ବିନିଯୋଗ କରାଯାଇ ଯଥା ସମୟରେ ନିର୍ମାଣ କାର୍ଯ୍ୟ ସରିଲେ ପରବର୍ତ୍ତୀ ପର୍ଯ୍ୟାୟରେ ବୁଢାବୁଢ଼ୀଆଣି ଡ୍ୟାମକୁ ଆକର୍ଷଣୀୟ କରାଯିବ ଏତଦବ୍ୟତୀତ ବରକନ୍ୟା ଝରଣାର ବିକାଶ ପାଇଁ ଖୁବ ଶ୍ରୀଘ୍ର ଅର୍ଥ ମଞ୍ଜୁର ହେବ ବୋଲି ବିଧାୟକ ଡ଼ ସାହୁ କହିଛନ୍ତି। ଅର୍ଥରାଶି ମଞ୍ଜୁର ହେବା ପରେ ଅଞ୍ଚଳବାସୀ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟ ବିରଜାଲକ୍ଷ୍ମୀ ସାହ, ବାଣ୍ଠପୁର ସରପଞ୍ଚ ସୁନିତା ବାରିକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l

Related posts