ନୟାଗଡ଼,(ନୟାଗଡ଼ ଦର୍ପଣ): ଗବେଷଣା ପାଇଁ ମନୋନୀତ ହୋଇଛନ୍ତି ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗରେ ଗବେଷଣା କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା l ପ୍ରଥମେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଇଣ୍ଟରଭ୍ୟୁ ପାଇଁ ମନୋନୀତ ହୋଇଥିଲେ l ଉଭୟ ପରୀକ୍ଷାରେ ଭଲ ମାର୍କ ହାସଲ କରିଥିବାରୁ ଶେଷରେ ଗବେଷଣା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ତେବେ ରାଜନୀତି ବିଜ୍ଞାନ ଏବଂ ଗଣମାଧ୍ୟମ ସମ୍ପର୍କିତ ବିଷୟବସ୍ତୁ ଉପରେ ଗବେଷଣା କରିବା ପାଇଁ ମନୋନିବେଶ କରିଥିବା ଜଣାପଡିଛି l ଏପରିକି ସାକ୍ଷାତକାର ସମୟରେ ମଧ୍ୟ ଗଣମାଧ୍ୟମ ଏବଂ ରାଜନୀତି ବିଜ୍ଞାନ ସମ୍ବନ୍ଧୀୟ ଗବେଷଣା ପ୍ରସ୍ତାବ ଉପସ୍ଥାପନା କରିଥିଲେ l ଯାହା ବିଭାଗର ବିଚାରକମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା l ରଣପୁର ବ୍ଲକ ରାଜସୁନାଖଳା ନିକଟସ୍ଥ କୋଟପୋଖରୀ ଗାଁର ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ଏକ ପ୍ରତିଷ୍ଠିତ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଭାବେ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ l ପିଲାଟି ବେଳରୁ ନିଜର ମେଧାବୀ ପରିଚୟ ପ୍ରଦାନ କରିଛନ୍ତି l 2022 ମସିହାରେ ରାଜନୀତି ବିଜ୍ଞାନରେ ସ୍ନାତ୍ତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ବେଳେ ଡ଼ିବେଟ ପ୍ରତିଯୋଗିତା ପାଇଁ ‘ବିଶ୍ୱବିଦ୍ୟାଳୟ ପୁରସ୍କାର ‘ 2021ର ବିଜେତା ହୋଇଥିଲେ l ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟରେ ଅଧ୍ୟୟନ ବେଳେ ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ହାସଲ କରିଛନ୍ତି l 2023 ମସିହାରେ ରାଜନୀତି ବିଜ୍ଞାନ ବିଭାଗରେ ପିଏଡ଼ି କରିବା ପାଇଁ ମନୋନୀତ ହୋଇଛନ୍ତି l ସାମ୍ବାଦିକତାରେ ହାସଲ କରିଥିବା ବାସ୍ତବ ଅଭିଜ୍ଞତା ଗବେଷଣା ପାଇଁ ବେଶ ସହାୟକ ହେବ l ତେବେ ନିଜ ଗବେଷଣା ନିବନ୍ଧ କିଭଳି ଗୁଣାତ୍ମକ ହୋଇପାରିବ ସେ ଦିଗରେ ଗୁରୁତ୍ୱ ଦେବା ସହ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କ ଅଧ୍ୟୟନ ପାଇଁ ଏହା କିପରି ଅଧିକ ଉପଯୋଗୀ ହୋଇପାରିବ ସେ ଦିଗରେ ଗୁରୁତ୍ୱାରୋପ କରିବେ ବୋଲି କହିଛନ୍ତି l ଏହି ସଫଳତା ପାଇଁ ଜୟେନ୍ଦ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି l
ଗବେଷଣା ପାଇଁ ମନୋନୀତ ହେଲେ ଯୁବ ସାମ୍ବାଦିକ ଜୟେନ୍ଦ୍ର
