ନୟାଗଡ଼ ଜିଲ୍ଲା ଡିଜିଟାଲ୍ ମିଡିଆ ସାମ୍ବାଦିକ ସଂଘ ଦ୍ୱିତୀୟ ବାର୍ଷିକ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ(ୱେବ୍‌) ସାମ୍ବାଦିକ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ନୀଳମାଧବ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଅନୱାର ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ନୟାଗଡ଼ ସାମ୍ବାଦିକ ସଂଘ ସଭାପତି ବୈଦ୍ୟ ଭୂଷଣ ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ଶ୍ଲୋକ ଉଚ୍ଚାରଣରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ବେଦ ପାଠ କରାଯାଇଥିଲା । ଏହି ଅବସରରେ ଇହଳୀଳା ସମ୍ବରଣ କରିଥିବା ସଂଘ ସମ୍ପାଦକ କିଶୋର ମହାପାତ୍ର ଏବଂ ସଂଘ ସହ ସମ୍ପାଦକ ଦୁର୍ଯ୍ୟୋଧନ ଜେନାଙ୍କ ପତ୍ନୀ ବିୟୋଗକୁ ନେଇ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସ୍ୱାଧୀନତାର ପୂର୍ବ ଓ ପର ସାମ୍ବାଦିକତା ସମ୍ପର୍କରେ ରାଜ୍ୟ ସଂଘ ସଭାପତି ଶ୍ରୀଯୁକ୍ତ କର ବକ୍ତବ୍ୟ ରଖିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ, ନୟାଗଡ଼ ବିଧାୟକଙ୍କ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଥିବା ବେଳେ ବୀମା କ୍ଷେତ୍ରରେ ସାମ୍ବାଦିକମାନଙ୍କର ଯେଉଁ ଆର୍ଥିକ ସ୍ୱାବଲମ୍ବନ ଶୀଳ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ତାହାର ସୁଫଳ ଆଜିକା ଦିନରେ ସାମ୍ବାଦିକମାନେ ପାଉଥିବା କହିଥିଲେ ।

ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ବେହେରା ଡିଜିଟାଲ ସାମ୍ବାଦିକଙ୍କ ପ୍ରତି ଆମେ ସହୃଦୟତାର ସହ ବିଚାର କରୁଛୁ । ରାଜ୍ୟ ସରକାର ସେମାନଙ୍କ ପାଇଁ ସକରାତ୍ମକ ଆଭିମୁଖ୍ୟ ରଖିଛନ୍ତି । ତାହାର ଫଳାଫଳ ଆଗାମୀ ଦିନରେ ଅନୁଭୂତ ହେବ ।

ରଣପୁର ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ତାଙ୍କ ବକ୍ତବ୍ୟରେ ସାମ୍ବାଦିକଙ୍କ ପ୍ରତି ଆମେ ସହାନୁଭୂତ ଶୀଳ ରହିଛୁ । ରାଜ୍ୟ ସରକାରଙ୍କ ପାଖରେ ସାମ୍ବାଦିକଙ୍କ ଦାବିକୁ ଉପସ୍ଥାପନ କରାଯାଉଛି, ତାହାର ସୁଫଳ ଖୁବଶୀଘ୍ର ମିଳିବ ବୋଲି କହିଥିଲେ ।

ମୁଖ୍ୟ ଅତିଥି ଡ. ସାହୁ, ଜାତୀୟ ଗଣମାଧ୍ୟମ ଉପରେ ଆଲୋଚନା କରିଥିଲେ। ଡିଜିଟାଲ ମିଡିଆ ବହୁତ ଶକ୍ତିଶାଳୀ ହୋଇଛି। ଏକ ତରଫା ଉଦ୍ଦେଶ୍ୟ ପ୍ରଣୋଦିତ ଖବର ସମାଜର ହିତ ସାଧନ କରିପାରେ ନାହିଁ। ସାମ୍ବାଦିକମାନେ ସକରାତ୍ମକ ଚିନ୍ତାଧାରାରେ ଖବର ପରିବେଷଣ କଲେ ସମାଜର ସାମଗ୍ରୀକ ବିକାଶ ହେବ ବୋଲି ସେ କହିଥିଲେ ।

ଗୋଦାବରୀଶ ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସାମ୍ବାଦିକ ଜୟେନ୍ଦ୍ର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଂଘ ସମ୍ପାଦକ ସଞ୍ଜୟ କୁମାର ସ୍ବାଇଁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ପଟ୍ଟନାୟକ, ଭବାନୀ ଶଙ୍କର ଦାଶ, ଏସ୍ ଏ ମନାନ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ବିଭିନ୍ନ ବ୍ଲକରୁ ଆସିଥିବା ସାମ୍ବାଦିକ ସଂଘ ଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ନବକିଶୋର ମିଶ୍ର, ଶୁଭେନ୍ଦୁ ଦାସ, ଲୋକନାଥ ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ରିତେନ୍ଦ୍ର ଛାଟୋଇ ପ୍ରମୁଖ ଉପସ୍ଥିତ ରହିଥିଲେ । ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଙ୍ଘ ନୟାଗଡ଼ ଶାଖାର ସମସ୍ତ ସାମ୍ୱାଦିକମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

Related posts