ତାଲା ପଡ଼ିବ ସମସ୍ତ ପ୍ରାଥମିକ ବିଦ୍ୟାଳୟ,ସମୂହ ଛୁଟିରେ ଯିବେ ଶିକ୍ଷକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ୧୬ ତାରିଖରୁ ତାଲା ପଡ଼ିବ ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ । କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବା ପାଇଁ ରାଜ୍ୟ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି । ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡେରେସନ, ଖାରବେଳ ନଗର, ଭୁବନେଶ୍ୱରର ଆହ୍ୱାନ କ୍ରମେ ଆଜି ରାଜ୍ୟର ସମସ୍ତ ବ୍ଲକରେ ତିନିଦଫା ଦାବି ନେଇ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି କ୍ରମରେ ନୟାଗଡ଼ ବ୍ଲକରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନେ ସମଗ୍ରଶିକ୍ଷା କାର୍ଯ୍ୟାଳୟଠାରେ ୫ଶହରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ରିତ ହୋଇ ଏକ ବିଶାଳ ରାଲିରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରେ ପହଞ୍ଚି ଏକ ପ୍ରତିବାଦ ସଭା କରିଥିଲେ । ପ୍ରାଥମିକ ଶିକ୍ଷକସଂଘ ସଭାପତି ବିପିନ ବିହାରୀ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଶିକ୍ଷମାନଙ୍କ ଛଅ ବର୍ଷର ଠିକା ନିଯୁକ୍ତିକୁ ଉଚ୍ଛେଦ କରିବା ସହିତ ଏକ୍ସ କ୍ୟାଡର, କ୍ରୀଡ଼ା ଏବଂ କଳା ଶିକ୍ଷକମାନଙ୍କୁ ନିୟମିତ କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦକରି ପୁରୁଣା ପେନସନ ପ୍ରଚଳନ ଆଦି ଦାବି କରିଥିଲେ ।

ଏଥିରେ ଶିକ୍ଷକ ନେତା ବଟକୃଷ୍ଣ ସାହୁ,ପୀତବାସ ପ୍ରଧାନ,ସୁରେଶ ସେଠୀ, ଲକ୍ଷ୍ମୀଧର ସାହୁ, ମୃତ୍ୟୁଞ୍ଜୟ ଷଢ଼ଙ୍ଗୀ, ସଂଗ୍ରାମ ସାହୁ, ଉମେଶ ସ୍ୱାଇଁ, ସଲିମ ଇବ୍ରାହୀମ, ରବି ସାହୁ, ଭଗବାନ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଗ୍ରହଣ କରିଥିଲୋ । ସୂଚନା ଯୋଗ୍ୟ ଯେ ଆସନ୍ତା ୧୧ ତାରିଖରେ ଜିଲ୍ଲା ସ୍ତରୀୟ ଆନ୍ଦୋଳନ କରାଯିବା । ଏହି ସମୟ ମଧ୍ୟରେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକଲେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଆସନ୍ତା ୧୬ ତାରିଖରୁ ସମୂହ ଛୁଟିରେ ଯିବା ସହିତ ରାଜ୍ୟସ୍ତରରେ ହେବାକୁ ଥିବା ଦୁର୍ବାର ଆନ୍ଦୋଳନରେ ସାମିଲ ହେବା ପାଇଁ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଚନ୍ତି ।

Related posts