ରୋଟାରୀ କ୍ଲବ ପକ୍ଷରୁ ନୟାଗଡ଼ରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତ୍ୟେକ ବର୍ଷ ଅଗଷ୍ଟ ୪ ତାରିଖ ଦିନ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଏ, ଏହି କ୍ରମରେ ନୟାଗଡ଼ ରୋଟାରୀ କ୍ଲବ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଆଜି ରୋଟାରୀ କ୍ଲବ ପରିସରରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରିଛି । କ୍ଲବ ସଭାପତି ଅବଦୁଲ ଆରିଫ ଖାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ। ସଭାପତି ଆରିଫ ଖାନ୍ ସ୍ବାଗତ ଭାଷଣ ଦେଇଥିବାବେଳେ କ୍ଲବ ସଂପାଦକ ଶ୍ରୀଧର ସାହୁ ଓଡିଆ ସାମ୍ବାଦିକତା ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଜିଲ୍ଲାପାଳ ସମସ୍ତ ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରକାରଙ୍କ ସାମ୍ବାଦିକ ବୀମା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିବାବେଳେ ସାମ୍ବାଦିକମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରିବାକୁ ପୌର ଅଧ୍ୟକ୍ଷା ଦାବି କରିଥିଲେ। ଏହି ଅବସରରେ ସାମ୍ବାଦିକ ବୈଦ୍ୟଭୁଷଣ ମହାପାତ୍ର, ନିର୍ମଳ ଚନ୍ଦ୍ର ସୁରଦେଓ, ରାମକୃଷ୍ଣ ରଥ, ରସାନନ୍ଦ ସ୍ୱାଇଁ, ଲୋକନାଥ ମିଶ୍ର, ହୁସେନ ଖାଁ ନିଜ ନିଜର ବୃତ୍ତିଗତ ସାମ୍ବାଦିକତାର ଅନୁଭବକୁ ଉପସ୍ଥିତ ସାମ୍ବାଦିକଙ୍କୁ ବକ୍ତବ୍ୟ ମାଧ୍ୟମରେ ଜଣାଇଥିଲେ। ସମସ୍ତ ଉପସ୍ଥିତ ସାମ୍ବାଦିକଙ୍କୁ ରୋଟାରୀ କ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ମଞ୍ଚାସିନ ଅତିଥି ମାନଙ୍କୁ ମେମେଣ୍ଟୋ ପ୍ରଦାନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମକୁ ରୋଟାରୀ କ୍ଲବ ନୟାଗଡ଼ର ସଦସ୍ୟ ମାନେ ପରିଚାଳନା କରିଥିଲେ । ପରିଶେଷରେ ରୋଟାରିଆନ ମିହିର ରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Related posts