ସ୍କାଉଟ୍ ଓ ବୁଲବୁଲ କ୍ଲବ ଉଦଘାଟିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ କୁରାଳ କ୍ଲଷ୍ଟର ଅଧୀନରେ ଥିବା ଦଣ୍ଡୋର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ମିସେସ୍ ଲୋଟସଙ୍କ ତତ୍ତ୍ୱାବଧାନରେ ସ୍କାଉଟ୍ ଗାଇଡ ଓ କବ୍ ବୁଲବୁଲ କ୍ଲବର ଉଦଘାଟନୀ ଉତ୍ସବ ପାଳିତ ହୋଇଯାଇଛି।ଏ ଅବସରରେ ଭାରତ ସ୍କାଉଟସ୍ ଆଣ୍ଡ୍ ଗାଇଡସର ଓଡ଼ିଶା ରାଜ୍ୟ କମିଶନର ଡ.କାଳିପ୍ରସାଦ ମିଶ୍ରଙ୍କ ତରଫରୁ ରାଜ୍ୟ ସଂଯୋଜକ ତଥା ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ରବୀନ୍ଦ୍ର କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ କବ୍ ବୁଲବୁଲ କ୍ଲବର ପଞ୍ଜିକରଣ ପ୍ରମାଣପତ୍ର ପ୍ରଦାନ କରିବା ସହ ବିଦ୍ୟାଳୟର ପରିବେଶ ଏକ ବନବିଦ୍ୟାଳୟର ଭ୍ରମ ସୄଷ୍ଟି କରୁଛି ବୋଲି କହି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପଞ୍ଚସଖାଙ୍କ ପରି ଉତ୍ସର୍ଗୀକୃତ ଭାବନା ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।ବିଦ୍ୟାଳୟରେ ଅଧ୍ୟୟନରତ ୨୨୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ତୄତୀୟ,ଚତୁର୍ଥ, ପଞ୍ଚମ ଶ୍ରେଣୀରୁ ୨୪ ଜଣ ଛାତ୍ର କବ୍ ଓ ୨୪ ଜଣ ଛାତ୍ରୀ ବୁଲବୁଲ କ୍ଲବ୍ ପାଇଁ ଏବଂ ଷଷ୍ଠ, ସପ୍ତମ, ଅଷ୍ଟମଶ୍ରେଣୀରୁ ୧୨ ଜଣ ଛାତ୍ର ସ୍କାଉଟ୍ ଓ ୧୨ ଜଣ ଛାତ୍ରୀ ଗାଇଡ୍ କ୍ଲବ୍ ପାଇଁ ମନୋନୀତ ହୋଇଥିବାବେଳେ ଶିକ୍ଷକ ପବିତ୍ର ମୋହନ ସାହୁଙ୍କୁ କବ୍, ଶିକ୍ଷୟିତ୍ରୀ ସୁନିତା ସେଠୀଙ୍କୁ ବୁଲବୁଲ, ଶିକ୍ଷକ ଯଶୋବନ୍ତ ପଟ୍ଟନାୟକଙ୍କୁ ସ୍କାଉଟ୍ ଏବଂ ଶିକ୍ଷୟିତ୍ରୀ ସୁଶାନ୍ତି ପଣ୍ଡାଙ୍କୁ ଗାଇଡ୍ କ୍ଲବର ଦାୟିତ୍ୱ ଦିଆଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ରଘୁନାଥ ସମବାୟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ.ଅଧିବାସ ପଣ୍ଡା ବିଦ୍ୟାଳୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କ ଆନ୍ତରିକ ଉଦ୍ୟମ ଓ ମନୋବୄତ୍ତି ଆବଶ୍ୟକ ବୋଲି କହି ଆଗାମୀ ୨୦୨୪ ମସିହାରେ ବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ୍ ଜୁବୁଲି ଉତ୍ସବ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ସିଆରସିସି ସନ୍ତୋଷ କୁମାର ସାହୁ,ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରସନ୍ନ କୁମାର ରାଉତ ଓ ମୋ ସ୍କୁଲ ଅଧ୍ୟକ୍ଷ ଦିବାକର ପଣ୍ଡା ସ୍କାଉଟ୍ ଓ ବୁଲବୁଲ କ୍ଲବରେ ସାମିଲ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇବାସହ ବିଦ୍ୟାଳୟ ପରିଚାଳନା କମିଟିର ଉପସ୍ଥିତ ସଦସ୍ୟମାନେ ସ୍ଥାନୀୟ ଓ୍ୱ।ର୍ଡମେମ୍ବର ଶୁଭାଶିଷ ପଣ୍ଡାଙ୍କ ଜରିଆରେ ସରପଞ୍ଚ ବିଜନ କୁମାର ପାଇକରାୟଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ଭଗ୍ନ ଅବସ୍ଥାରେ ଥିବା ଦୁଇଟି ଶ୍ରେଣୀ କୋଠରୀକୁ ତୁରନ୍ତ ଛାତ ପକାଇବା ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ଶିକ୍ଷୟିତ୍ରୀ ଜାନକୀ ପଣ୍ଡାଙ୍କ ନେତୄତ୍ୱରେ ଛାତ୍ରଛାତ୍ରୀମାନଙ୍କୁ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ବାରା ପୋଷାକ ବଣ୍ଟନ କରାଯାଇଥିଲା।ପରିଶେଷରେ ଶିକ୍ଷକ ବୁଦ୍ଧିଆ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts