ନୂଆଗାଁର ବିଭିନ୍ନ ସ୍ଥାନରେ ସେବା ଉତ୍ସବ

ନୂଆଗାଁ,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୫ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୩ ଆଜି ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେବା ଉତ୍ସବ ସମିତିର କର୍ମକର୍ତା ମାନେ ବିଭିର୍ଣ୍ଣ ଅଭାବୀ ପରିବାରଙ୍କୁ ସହାୟତାର ହାତ ବଢ଼ାଇଥିଲେ। ସେବା ଉତ୍ସବ ସମିତି ପକ୍ଷରୁ ଏହି ଅବସରରେ ସପଡା ଗ୍ରାମରେ ମିଲେଟ ମିଶନ, ବାଲ୍ୟ ବିବାହ ନିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଥପ୍ରାନ୍ତ ନାଟକ ମାଧ୍ୟମରେ ମାଣ୍ଡିଆ ଚାଷର ଉପକାରିତା ଓ ବାଲ୍ୟ ବିବାହକୁ ନେଇ କଲେଜ ଛାତ୍ରଛାତ୍ରୀମାନେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ।

ଏହାପରେ ସଂପଡା, ଭୂଇଁରଗଡି ଗ୍ରାମରେ ସେବା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରାମବାସୀଙ୍କୁ ନେଇ ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର, ଚପଲ, ଛତା ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୂଆଗାଁ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଭିକାରି ଚରଣ ସ୍ୱାଇଁ, ନୂଆଗାଁ ବ୍ଲକ ଯୋଗାଣ ଅଧିକାରୀ, ସ୍ଥାନୀୟ ମାଇଛେଳି ସରପଞ୍ଚ ପ୍ରତିନିଧି ଦାଶରଥି ପ୍ରଧାନ, ସମାଜସେବୀ ଦାମୋଦର ସାହୁ, ସାମ୍ବାଦିକ ଧନେଶ୍ୱର ସାହୁ, ବିଶ୍ୱଜିତ ଖଣ୍ଡୁଆଳ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ସେବା ସମିତି ସଦସ୍ୟ ବାପୁନି ପ୍ରଧାନ, କୃପାସିନ୍ଧୁ, ଗୁଲସନ କୁମାର ଦାସ, ସମ୍ୟା ପ୍ରିୟ ଦର୍ଶିନୀ, ଗାୟତ୍ରୀ ପ୍ରିୟଦର୍ଶିନୀ, ରାଜଲକ୍ଷ୍ମୀ ମହାନ୍ତି,ପରମେଶ୍ୱର ସାହୁ, ଲିଙ୍କନ ସାହୁ, ଶ୍ରୀମାନ ଅଭିଜିତ କର, ସ୍ମୃତିଶିଖା ପରିଡ଼ା, ଏସ ଓଁକାର, ମଳୟ ରଂଜନ ରାୟ,ଯୁଧିଷ୍ଠିର ବେହେରା, କରଣ ବଡ଼ଟିଆ ପ୍ରମୁଖ ସାମିଲ ହୋଇଥିଲେ । ଏହି ଉତ୍ସବ ମାଧ୍ୟମରେ ସାରା ନୟାଗଡ଼ରେ ସେବା ଓ ଦାନର ଏକ ନିଆରା ପରମ୍ପରା ସୃଷ୍ଟି କରି ଏକ ସୁସ୍ଥ ସମାଜ ଗଠନ ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦିଆଯାଇଥିଲା। ଗତ ଜୁଲାଇ ୧ତାରିଖରୁ ଆୟୋଜିତ ଏହି ଜିଲ୍ଲାବ୍ୟାପି ଉତ୍ସବ ଆସନ୍ତା ଜୁଲାଇ ୧୫ ତାରିଖରେ ନୟାଗଡ଼ ଦୁର୍ଗାମଣ୍ଡପଠାରେ ଉଦଯାପନ ହେବବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି।

Related posts