ପରିବା ଦରବୃଦ୍ଧି ମାନବକୃତ ଅଭିଯୋଗ କଲେ ସି.ପି.ଆଇ(ଏମ) ନେତା ବିଶ୍ୱନାଥ ମହାପାତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ଯଦି ବଜାରରେ ଯେତେ ଇଛା ସେତେ ପରିବା ଉପଲବ୍ଧ ହୋଇ ପାରୁଛି, ତେବେ ପରିବା ସବୁର ଆକାଶଛୁଆଁ ଦରବୃଦ୍ଧିର କାରଣ ଏକଚାଟିଆ ମହଜୁଦକାରୀଙ୍କ ମୁନଫାଖୋରୀ ଚକ୍ରାନ୍ତ ବୋଲି ସି. ପି. ଆଇ. (ଏମ )ନେତା ବିଶ୍ୱନାଥ ମହାପାତ୍ର ଅଭିଯୋଗ କରିଛନ୍ତି। ଚାଷୀଠାରୁ କେଜି ୨ଟଙ୍କାରେ କିଣାଯାଇଥିବା ଟମାଟୋ କେଉଁ ମନ୍ତ୍ରବଳରେ କିଣିଖିଆଙ୍କ ପାଖରେ ୧୫୦ଟଙ୍କାରେ ପହଂଚିପାରୁଛି। ତାକୁ ଅନୁଧ୍ୟାନ କଲେ କେନ୍ଦ୍ର ଓ ରାଜ୍ୟ ସରକାରର ଜନବାଦୀ ସତୀତ୍ୱ ବଳେ ଧରାପଡ଼ି ଯାଉଛି ବୋଲି ଶ୍ରୀ ମହାପାତ୍ର କଟାକ୍ଷ କରିଛନ୍ତି। ସରକାରୀଭାବେ ଶୀତଳଭଣ୍ଡାର ଖୋଲି ଚାଷୀଙ୍କୁ ସାହାଯ୍ୟ କରିବାପାଇଁ ହେଉଥିବା ଦାବିକୁ ଭୃକ୍ଷେପ କରୁନଥିବା ସରକାର ଘରୋଇ ଶୀତଳଭଣ୍ଡାରକୁ ପ୍ରୋତ୍ସାହନ ଦେଉଥିବାରୁ ପରୋକ୍ଷରେ ଦର ବଢ଼ାଇବାର ଚାବିକାଠି ସେଇମାନଙ୍କୁ ଧରାଇ ଦିଆଯାଇଛି ବୋଲି ଅଭିଯୋଗ କରାଯାଇଛି। ନୟାଗଡ ଜିଲ୍ଲାରେ ତୁରନ୍ତ ବିଭିନ୍ନ ପରିବା ଉତ୍ପାଦନ କେନ୍ଦ୍ର ସ୍ଥାନମାନଙ୍କରେ ଶୀତଳ ଭଣ୍ଡାର ନିର୍ମାଣ କଲେ ପରିବାଚାଷୀ ଉପକୃତ ହୋଇ ପାରିବେ ଓ କିଣିଖିଆ ସୁଲଭ ମୂଲ୍ୟରେ ପରିବା ପାଇପାରିବେ। ଏ ପରିସ୍ଥିତିରେ ତୁରନ୍ତ ପରିବର୍ତନ ନହେଲେ ପାର୍ଟି ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାପାତ୍ର ପ୍ରେସବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

Related posts