ଓଡଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବିଶିଷ୍ଟ କବି, ଲେଖକ, କଥାକାର ଏବଂ ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦର ଉପସଭାପତି ଡ.ସୁରେଶ ଚନ୍ଦ୍ର ବରାଡ଼ଙ୍କୁ ତାଙ୍କର ସାମଗ୍ରିକ ସାହିତ୍ୟ ସାଧନା ପାଇଁ ପଶ୍ଚିମ ବଙ୍ଗର ଆସାନସୋଲସ୍ଥିତ ନବ୍ୟ ଫାଉଣ୍ଡେସନ ତରଫରୁ ସମ୍ମାନ ସୂଚକ ‘ରାଷ୍ଟ୍ରିୟ ସାହିତ୍ୟ ଶିରୋମଣି’ ସମ୍ମାନରେ ଭୂଷିତ କରାଯାଇଛି। ଡ.ବରାଡ଼ ୨୨ ଖଣ୍ଡ ବିଭିନ୍ନ ଉପାଦେୟ ପୁସ୍ତକ ରଚନା କରି ନୟାଗଡ଼ ଜିଲ୍ଲାରେ ପ୍ରତିଷ୍ଠିତ କବି ଓ ଲେଖକ ହିସାବରେ ସୁନାମ ଅର୍ଜ୍ଜନ କରିଛନ୍ତି। ତାଙ୍କର ଏହି ଉପାଦେୟ ପୁସ୍ତକ ଗୁଡ଼ିକ ବିଭିନ୍ନ ବିଦ୍ୟାଳୟ, ଧର୍ମ ଅନୁଷ୍ଠାନ ଏବଂ ଗ୍ରାମ ମାନଙ୍କରେ ଲୋକ ମାନଙ୍କ ମଧ୍ୟରେ ବେଶ ଆଦୃତ ହୋଇ ପାରିଛି। ତାଙ୍କ ସାହିତ୍ୟ ସାଧନାକୁ ଦୃଷ୍ଟିରେ ରଖି ତାଙ୍କୁ ରାଷ୍ଟ୍ରିୟ ସାହିତ୍ୟ ଶିରୋମଣି ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିପାଇଁ ଆଜି ଶରଣକୁଳ ନିକଟସ୍ଥ ହରିହରପୁରସ୍ଥ ଗ୍ରୀନକ୍ଳବ ପରିସର ମଧ୍ୟରେ ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦର କର୍ମକତ୍ତାର୍ମାନେ ପୁଷ୍ପଗୁଚ୍ଛ ପ୍ରଦାନ ସ୍ବରୂପ ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ, ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, କବି ତଥା ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦର ସଂପାଦକ ନିରାକାର ସ୍ବାଇଁ ଓ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଡ.ବରାଡ଼ଙ୍କୁ ଶୁଭେଚ୍ଛା ଜଣାଇଥିଲେ।
କବି ଡ. ସୁରେଶ ବରାଡ଼ଙ୍କୁ ରାଷ୍ଟ୍ରିୟ ସାହିତ୍ୟ ଶିରୋମଣି ସମ୍ମାନ
