ନୟାଗଡ଼/ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବୁଢ଼ାବୁଢ଼ୀଆଣି ଓ ବାଘୁଆ ଜଳଭଣ୍ଡାର ବିସ୍ଥାପିତ ଆଦିବାସୀ ଗ୍ରାମ ସନ୍ନିକଟ କାଜୁ ଫସଲ ଉପରେ ଓଡିଶା ବନ ନିଗମ ଯେଭଳି ମନମାନି ଚଳାଇ କାଜୁ ମାଫିଆମାନଙ୍କ ଦ୍ୱାରା ମୂଳନିବାସୀ ଆଦିବାସୀ ମାନଙ୍କୁ ଦମନ କରିବାର ବାଟ ଧରିଛନ୍ତି, ତାହା ତୁରନ୍ତ ବନ୍ଦ ନହେଲେ ପ୍ରତିରୋଧ ମୂଳକ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଓଡଗାଁ ବ୍ଲକ ଆଦିବାସୀ ଅଧିକାର ମଞ୍ଚ ଚେତାବନୀ ଦେଇଛି ! ତା 08.06.2023ରେ ବୁଢାବୁଢ଼ୀଆଣିଠାରେ ମଞ୍ଚର କାର୍ଯ୍ୟକାରିଣୀ ନକୁଳ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ବନନିଗମର ଏତାଦୃଶ କାର୍ଯ୍ୟର ଦୃଢ ନିନ୍ଦା କରାଯାଇଛି ! ସାଧାରଣ ଭୂମିହୀନ ଆଦିବାସୀଙ୍କ ବାସଭୂମି ଶାଳିଆଝରି, ଭୋବସର, ଗିରିଡିଆମ୍ବା,ବାଘୁଆ, କଦମଝର, ଟିଙ୍କପଡିଆ ପ୍ରଭୃତି ଗ୍ରାମ ନିକଟରେ ଥିବା ପତିତଅନାବାଦୀ ଜମିକୁ ଆଦିବାସୀ ପ୍ରଜାମାନେ ମାଣ୍ଡିଆ, କୋଳଥ, ରାଶୀ ଫସଲ କରି ଭୋଗଦାଖଲ କରି ଆସୁଥିଲେ! ଫଳଭୋଗୀ ହେବାର ପ୍ରତିଶୃତି ଦେଇ ଓଡିଶା ବନନିଗମ ପ୍ରାୟ 45ବର୍ଷ ତଳେ ସେମାନଙ୍କୁ ବେଦଖଲ କଲେ!ମାତ୍ର ଗଛ ଫଳପ୍ରସୁ ହେଲାପରେ ଏହାକୁ ବାହାର ମାଫିଆ ମାନଙ୍କ ହାତରେ ଟେକିଦେଇ ବନ ନିଗମ ଯେପରି ଦଲାଲ ଭୂମିକା ନିଭେଇଛି, ତାକୁ ନିନ୍ଦା କରିବାକୁ ଭାଷା ନାହିଁ ବୋଲି ବୈଠକର ମାର୍ଗଦର୍ଶକ ତଥା ବରିଷ୍ଠ ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ର ପ୍ରକାଶ କରିଛନ୍ତି! ବୁଢାବୁଢ଼ୀଆଣି ସଂଲଗ୍ନ 110ହେକଟର କାଜୁ ପଦାକୁ ତିନି ବର୍ଷ ପାଇଁ ମାତ୍ର ଦଶ ହଜାର ଟଙ୍କାରେ ମାଫିଆମାନଂକୁ ନିଲାମ ଦେଇ ନିଗମ କର୍ତ୍ତୃପକ୍ଷ କିଭଳି ରାଜକୋଷ ବୃଦ୍ଧି କରିଛନ୍ତି, ତାହା ସ୍ପଷ୍ଟ ଧରାପଡିଛି ଓ ତୁରନ୍ତ ଏହି ଗୋପନ ନିଲାମ କେଳାଙ୍କାରୀ ବାତିଲ କରି ଆଦିବାସୀ ପ୍ରଜାଙ୍କୁ ତାଙ୍କ ଗ୍ରାମ କାଜୁ ପଡିଆର ଅଧିକାର ଫେରାଇ ନଦେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଆଦିବାସୀ ଅଧିକାର ମଞ୍ଚର କର୍ମକର୍ତ୍ତାମାନେ ଦୃଢୋକ୍ତି କରିଛନ୍ତି ! ରାଜ୍ୟ କେନ୍ଦ୍ରରେ ଲୋକପ୍ରତିନିଧି ଓ ବିଭାଗୀୟ କର୍ତୃପକ୍ଷଙ୍କୁ ସ୍ମାରକପତ୍ର ଦେବା, ଜିଲ୍ଲା ଦପ୍ତରରେ ଧାରଣା -ବିକ୍ଷୋଭ କରିବା, ଆସନ୍ତା ବର୍ଷରୁ ବାହ୍ୟ ଶୋଷଣକାରୀ ମାଫିଆଙ୍କୁ ଲୁଟିବାର ସୁଯୋଗ ନଦେବାପାଇଁ ଦୃଢ ନିଷ୍ପତ୍ତି ନିଆଯାଇଛି! ଏହି ବୈଠକରେ କୃଷକସଭା ନେତା ପବିତ୍ର ଇନ୍ଦ୍ରଜିତ, ଆଦିବାସୀ ନେତା ଜଗବନ୍ଧୁ ଯାନୀ, ଭଗବାନ ପ୍ରଧାନ, ଦୁତିକୃଷ୍ଣ ପ୍ରଧାନ, କାର୍ତିକ ପ୍ରଧାନ, ପ୍ରଭାକର ପ୍ରଧାନ, ଲମ୍ବୋଦର ଜାନି, ମହେଶ୍ୱର ପ୍ରଧାନ, ସାରଳା ଯାନୀ, ରୈବାରୀ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ!
ଆମ ଗାଁ’ର ଲଙ୍କାଆମ୍ବଗଛ – ହକ ଆମର
