ପଞ୍ଚାନନ ପଣ୍ଡା ପାଇଲେ ପ୍ରକୃତିବନ୍ଧୁ ପୁରସ୍କାର

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ପରିବେଶ ଦିବସରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ସାବରମତୀ, ସମ୍ମାନିତ ଅତିଥି ରୂପେ ଡିଏଫ୍ଓ କ୍ଷମା ଷଡଙ୍ଗୀ, ଏସିଏଫ୍ ଶ୍ୱେତାଲିନା ସାହୁ, ମହାନଦୀ ବନ୍ୟପ୍ରାଣୀ ସଂରକ୍ଷକ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥୀ, ଜିଲ୍ଲା ଉଦ୍ୟାନ କୃଷି ନିର୍ଦ୍ଦେଶକ ସଭାମଣ୍ଡନ କରିଥିଲେ। ସମସ୍ତଙ୍କ ଗହଣରେ ଓଡ଼ଗାଁ ବ୍ଳକର ଅବସର ପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଣ୍ଡା ପ୍ରକୃତିବନ୍ଧୁ ପୁରସ୍କାର ଗ୍ରହଣ କରିଛନ୍ତି।ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଆର୍ଥିକ ପୁରସ୍କାର ଦଶହଜାର ଟଙ୍କା, ପ୍ରଶଂସାପତ୍ର ଓ ଗୋଟିଏ ମୂଲ୍ୟବାନ ଗଛ ପ୍ରଦାନ କରାଯାଇଛି। ଶିକ୍ଷକତା କରିବା ସହିତ ବୃକ୍ଷରୋପଣ କରି ତା’ର ଯତ୍ନ ନେବା,ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ସଚେତନତା ରାଲି,ବାଇଚଢେଇର ସୁରକ୍ଷା,ବିଭିନ୍ନ ମଞ୍ଜି ସଂଗ୍ରହ କରି ବର୍ଷା ଦିନେ ପାହାଡିଆ ଅଞ୍ଚଳରେ ପକାଇବା, ବିଭିନ୍ନ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସଚେତନତା ରାଲି, ପ୍ରତିଯୋଗିତା, ଜୀବଜନ୍ତୁଙ୍କ ସୁରକ୍ଷା, ଜଙ୍ଗଲରେ ନିଆଁ ନ ଲଗେବାପାଇଁ ଗାଁ ଗାଁ ବୁଲି ବିଭିନ୍ନ ପଥପ୍ରାନ୍ତ ନାଟକ କରି ପରିବେଶର ସୁରକ୍ଷା ପାଇଁ ଶ୍ରୀଯୁକ୍ତ ପଣ୍ଡା ଅହରହ ଚେଷ୍ଟା କରିଆସୁଛନ୍ତି। ଏଥିପାଇଁ ସେ ପ୍ରକୃତିବନ୍ଧୁ ପୁରସ୍କାର ପାଇଁ ମନୋନୀତ ହୋଇ ପୁରସ୍କୃତ ହୋଇଛନ୍ତି।

Related posts