ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଡ଼ଗାଁ ବ୍ଲକ ନିକଟସ୍ଥ ଅଡିଟୋରିୟମ ଠାରେ ମଣ୍ଡଳୀ ସ୍ତରୀୟ ମେଧା ସମ୍ମାନ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ୪୮୩ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଡ.ସାହୁ ସମ୍ବର୍ଦ୍ଧିତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଡ.ସାହୁ ବହୁ ମୁଲ୍ୟବାନ ଅଭିଭାଷଣ ରଖିଥିଲେ । ଛାତ୍ରଛାତ୍ରୀମାନେ ଜୀବନକୁ ନଷ୍ଟ କରୁଥିବା ବଦଭ୍ୟାସରୁ ନିବୃତ୍ତ ରହିବା ଉଚିତ। ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ବାସ୍ତବତା ସହ ପରିଚିତ କରାଇବା ସହ ସ୍ୱପ୍ନ ତିଆରି କରିବା ଆବଶ୍ୟକ ଯଦ୍ୱାରା ସେମାନେ ବାସ୍ତବତାକୁ ଚିହ୍ନିବେ ଓ ନେତୃତ୍ୱ ନେବେ। ସତକୁ ସ୍ୱୀକାର କରିବା ଜଣେ ଭଲ ବିଦ୍ୟାର୍ଥୀର ଲକ୍ଷଣ ବୋଲି ବ୍ଲକ ନିକଟସ୍ଥ ଅଡିଟୋରୀୟମଠାରେ ମଣ୍ଡଳସ୍ତରୀୟ ମେଧା ସମ୍ମାନ ୨୦୨୩ ଉତ୍ସବରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।
ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମେଧା ସମ୍ମାନ ୨୦୨୩ ବୈଠକରେ ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ସଭାପତି ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ, ଓଡ଼ଗାଁ ବିଡିଓ ସନ୍ତୋଷ କୁମାର ଜେନା, ବ୍ଲକ ବିଜେଡି ସଭାପତି ସୁର୍ଯ୍ୟ ନାରାୟଣ ଚୌଧୁରୀ, ଜିଲ୍ଲା ବିଜେଡି ଉପସଭାପତି ନିତ୍ୟାନନ୍ଦ ପ୍ରଧାନ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ, ପୂର୍ବତନ ସରପଞ୍ଚ ଦିବାକର ନାୟକ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ୟ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ଏକ ଉଚ୍ଚକୋଟିର ପରମ୍ପରା ଯାହାକି ନୟାଗଡ଼ ବିଧାୟକଙ୍କ ଏକ ନିଆରା ପରିକଳ୍ପନା। ଜୀବନରେ ଜଣେ ଉତ୍ତମ ମଣିଷ ହେବା ସହ ହୀନମନ୍ୟତାର ଶିକାର ନ ହେବା ପାଇଁ ସମ୍ମାନୀତ ଅତିଥିମାନେ ମତବ୍ୟକ୍ତ କରିଥିଲେ।ଅନ୍ୟପକ୍ଷେ ଛାତ୍ରଛାତ୍ରୀମାନେ ଭଲ ନଂ ରଖି ସଫଳତା ଆଣିବା ପ୍ରତ୍ୟେକ ଶିକ୍ଷକ ଓ ଅଭିଭାବକର ଗର୍ବ ବୋଲି ନୟାଗଡ଼ ବିଧାୟକ କହିଥିଲେ। ଓଡ଼ଗାଁ ବ୍ଲକର ୨୧ ଗୋଟି ବିଦ୍ୟାଳୟର ମାଟ୍ରିକ ପରୀକ୍ଷାରେ ଏ-୧,ଏ-୨,ବି-୧,ବି-୨ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ସମୁଦାୟ ୪୮୩ ଜଣ ଛାତ୍ରଛାତ୍ରୀଙ୍କୁ ବିଧାୟକ ଉପାଦେୟ ପୁସ୍ତକ ସମେତ ପ୍ରସଂଶାପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ବ୍ଲକ ଶିକ୍ଷାଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବିଭୁପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଶିକ୍ଷକ ପଞ୍ଚାନନ ପଣ୍ଡା,ରଞ୍ଜନ କୁମାର ଦାସ,ଭାଗଗ୍ରାହୀ ମହାପାତ୍ର ସହଯୋଗ କରିଥିଲେ।
ଓଡ଼ଗାଁରେ ମେଧା ସମ୍ମାନ-୨୦୨୩ ଅନୁଷ୍ଠିତ
