ନୟାଗଡ଼,(ନୟାଗଡ଼ ଦର୍ପଣ): ପୂର୍ବ ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ଦାବି ନେଇ ନୟାଗଡ଼ ଜିଲ୍ଲା ଅମଲା ସଂଘ ପକ୍ଷରୁ ଆଜିଠାରୁ କଳାବ୍ୟାଚ ପରିଧାନ ସରକାରୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଜିଲ୍ଲା ଅମଲା ସଂଘ ପକ୍ଷରୁ ଏକ ଦାବିପତ୍ର ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁଙ୍କୁ ଆଜି ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲା ଅମଲାସଂଘ ମିଳିତ ମଞ୍ଚ ପକ୍ଷରୁ ଉପଦେଷ୍ଟା କୈଳାଶ ଚନ୍ଦ୍ର ଓଝା, ଉପସଭାପତି ରଶ୍ମିରଂଜନ ଦାଶ ଏବଂ ରାମକୃଷ୍ଣ ନାୟକ ପ୍ରମୁଖ ଉପସ୍ଥିତ ରହି ବିଧାୟକଙ୍କୁ ନୟାଗଡ଼ ବ୍ଳକ ପରିସରରେ ଦାବିପତ୍ର ପ୍ରଦାନ କରିଥିଲେ । ବିଧାୟକ ସେମାନଙ୍କ ଦାବିପତ୍ର ଗ୍ରହଣ କରିବା ସହିତ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା ସମସ୍ତଙ୍କ ଅଧିକାର ବୋଲି କହିବା ସହିତ ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସୂଚନା ଯୋଗ୍ୟ ଯେ ସ୍ନାତକ ଯୋଗ୍ୟତା ଅନୁଯାୟୀ ବରିଷ୍ଠ ସହାୟକ ମାନଙ୍କୁ ୪୨୦୦/- ଗ୍ରେଡ଼ ପେ ଦେବା ପାଇଁ ଅମଲାମାନେ ଦୀର୍ଘଦିନ ହେଲା ଦାବି କରି ଆସୁଛନ୍ତି । ସରକାର ସେମାନଙ୍କ ଦାବି ପୂରଣ ନକଲେ ଆଗାମୀ ୧ ତାରିଖରୁ ଜିଲ୍ଲାର ସମସ୍ତ ଅମଲାମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୁହ ଛୁଟିରେ ଯିବାପାଇଁ ନିଷ୍ପତ୍ତି ନେଇଛନ୍ତି । ସମୁହ ଛୁଟି ସମୟରେ ବ୍ଳକସ୍ତରୀୟ ସମସ୍ତ ଅମଲାମାନେ ବ୍ଲକ ଅଫିସ ପରିସରରେ ଟେଣ୍ଟ ପକାଇ ଧାରଣାରେ ବସି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବେ ଏବଂ ଜିଲ୍ଲାସ୍ତରୀୟ ଅମଲାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟେଣ୍ଟରେ ବସି ଧାରଣା ଦେବେ । ସମୁହ ଛୁଟି ସମୟରେ କେହି ହେଲେ ହେଡକ୍ୱାର୍ଟର ଛାଡ଼ି ବାହାରକୁ ଯିବେ ନାହିଁ ଏହଂ ଜିଲ୍ଲାର ସମସ୍ତ ଅମଲା କୌଣସି ସରକାରୀ କାର୍ଯ୍ୟ କରିବେ ନାହିଁ ବୋଲି ସଂଘ ନିଷ୍ପତ୍ତି ନେଇଛି । ସମୂହ ଛୁଯି ସମୟରେ କୌଣସି ପ୍ରଲୋଭନରୁ ନିବୃତ୍ତ ରହିବା ସହିତ ସରକାରୀ କାର୍ଯ୍ୟରେ ସମ୍ପୂର୍ଣ୍ଣ ଅସହଯୋଗ କରିବେ । ନିଜ ଅଧିକାରୀଙ୍କ ବିନା ଆଦେଶରେ କୌଣସି ପରିସ୍ଥିତିରେ ନିଜ ଶାଖାର ଦାୟିତ୍ୱ କାହକୁ ହସ୍ତାନ୍ତର କରିବେ ନାହିଁ । ଯଦି କରିବେ ତେବେ ଲିଖିତ ପ୍ରମାଣ ପତ୍ର ରଖିବେ । ଆନ୍ଦୋଳନର ନିର୍ଯ୍ୟାସ ନବାହାରିବା ପର୍ଯ୍ୟନ୍ତ ବ୍ଳକ ଏବଂ ଜିଲ୍ଲାସ୍ତରରେ ହେଉଥିବା ପ୍ରତିବାଦ ସଭାରେ ସକ୍ରିୟ ଅଂଶ ଗହଣ କରିବେ । ସଂଘର ନିଷ୍ପତ୍ତି ଖିଲାପ କଲେ ୫ହଜାର ଟଙ୍କା ଫାଇନ ଆଦାୟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
କଳାବ୍ୟାଚ ପରିଧାନ କଲେ ଜିଲ୍ଲା ଅମଲାସଂଘର କର୍ମଚାରୀ, ବିଧାୟକଙ୍କୁ ଦେଲେ ଦାବିପତ୍ର, ୧ରୁ ସମୂହ ଛୁଟି
