ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଓଡିଶା ଅମଲା ସଂଘ ମିଳିତ ଅମଲା ମଂଚର ନିଷ୍ପତ୍ତି କ୍ରମେ ନୟାଗଡ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଂଚର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଓଝା, ଆବାହକ ଶ୍ରୀଧର କୁମାର ସାହୁ ଓ ସଂପାଦକ ପଦୀପ୍ତ କୁମାର ନନ୍ଦଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅମଲା ମାନଙ୍କୁ ନେଇ ଦିବା ୧୦ ଘଟିକା ସମୟରେ ଜିଲ୍ଲାପାଳ ନୟାଗଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଅଛି । ଉକ୍ତ ଦାବିପତ୍ରରେ ଦୀର୍ଘ ଦିନ ହେବ ଜିଲ୍ଲାସ୍ତରୀୟ ଅମଲା ମାନଙ୍କର ବେତନରେ ଥିବା ଅସଙ୍ଗତିକୁ ଦୂର କରିବାରେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରି ଆସୁଛନ୍ତି, ବାରମ୍ବାର ଦାବି ପତ୍ର ଦାଖଲ କରାଯାଉଥିଲେ ମଧ୍ୟ ସରକାର କୌଣସି କର୍ଣ୍ଣପାତ କରୁ ନଥିବାରୁ ଅମଲାମାନଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଛି । ସୂଚନାଯୋଗ୍ୟ, ବିଗତ ଦିନରେ ରାଜ୍ୟ ସରକାର ୨୦୧୭ ମସିହା ଠାରୁ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ ବାଧ୍ୟତାମୂଳକ କରିଥିଲେ ମଧ୍ୟ ବେତନରେ କୌଣସି ପ୍ରକାର ଅଭିବୃଦ୍ଧି କରିନାହାନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାଙ୍କ ସହ ବିଭିନ୍ନ ସମୟରେ ଏବଂ ବିଭିନ୍ନ ମାଧ୍ୟମରେ ବାର୍ତ୍ତାଳାପ କରିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ବିଫଳ ହୋଇଛି । ଏହାର ପ୍ରତିବାଦରେ ଓଡିଶା ଅମଲା ସଂଘ ଓ ମିଳିତ ଅମଲା ମଂଚର ନିଷ୍ପତି କ୍ରମେ ଆଉ ଆଲୋଚନା ନୁହେଁ ବରଂ ଶାନ୍ତିପୂର୍ଣ୍ଣ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜରିଆରେ ଦାବି ହାସଲ କରିବାକୁ ହେବ ବୋଲି ମତ ପ୍ରକାଶ ପାଇଥିଲା । ଯଦି ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ସରକାର ଜିଲ୍ଲାସ୍ତରୀୟ ଅମଲା ମାନଙ୍କ ଦାବି ପୂରଣ ନ କରନ୍ତି ,ତେବେ ଆଗାମୀ ମେ ମାସରେ ରାଜ୍ୟ ମିଳିତ ଅମଲା ମଂଚର ନିଷ୍ପତି କ୍ରମେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ।
ନୟାଗଡ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର
