ରାଜ୍ୟ ରାଜଧାନୀରେ ଧୁମଧାମରେ ପାଳନ ହେବ “ବିଶ୍ୱ ଛେନାପୋଡ଼ ଦିବସ”

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିକାଶ ମଞ୍ଚ ଓ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ମିଳିତ ଆନୁକୁଲ୍ୟରେ ଆସନ୍ତା ଏପ୍ରିଲ୍‌ ୧୧ ତାରିଖରେ ଭୁବନେଶ୍ବର ଜୟଦେବ ଭବନଠାରେ ଛେନାପୋଡ଼ ଦିବସ ମହାସମାରୋହରେ ପାଳନ ହେବ। ଦିବସବ୍ୟାପୀ ଏହି ଉତ୍ସବରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ପ୍ରସିଦ୍ଧ କଣ୍ଠଶିଳ୍ପୀ ତାନସେନ୍‌ ସିଂ ଓ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ସାବରମତି ଅତିଥି ଭାବେ ଯୋଗଦେବେ। ଉତ୍ସବରେ ଅଧ୍ୟକ୍ଷତା କରିବେ ଲେଖକ ତଥା ନୟାଗଡ଼ ବିକାଶ ମଞ୍ଚର ଆବାହାକ ଶୁଭ୍ରାଂଶୁ ପଣ୍ଡା।

ଏହି ଅବସରରେ ଏକ ଛେନାପୋଡ଼ ସଙ୍ଗୀତର ଶୋତାର୍ପଣ ହେବ। ଏହାକୁ ଶୁଭ୍ରାଂଶୁ ପଣ୍ଡା ରଚନା ଓ ପରିକଳ୍ପନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମିଶ୍ର। ଏଥିରେ ଛେନାପୋଡ଼ର ମହିମାମଣ୍ଡନ ସାଙ୍ଗକୁ ନୟାଗଡ଼ ଜିଲ୍ଲାର ଐତିହ୍ୟ, ପରମ୍ପରା, ସଂସ୍କୃତି, ପର୍ବପର୍ବାଣି ଓ ମହାପୁରୁଷମାନଙ୍କ ବାବଦରେ ବର୍ଣ୍ଣନା ରହିଛି। ଏହି ଉତ୍ସବରେ ସଭା, ସମ୍ବର୍ଦ୍ଧନା, ବନ୍ଧୁମିଳନ ଓ ପେଟପୂଜା ସାଙ୍ଗକୁ ପାଲା, ଦାସକାଠିଆ, ବାଘଭାଲୁ ନାଚ, ଠକରା, ଘୁଡ଼ୁକି, ଖଞ୍ଜଣୀ, ପାରମ୍ପରିକ ସଙ୍ଗୀତ ଓ ଆଧୁନିକ ସଙ୍ଗୀତ ପରିବେଷଣ କରାଯିବ ।

Related posts