ଜିଲ୍ଲାପାଳଙ୍କ ମିନି କନଫରେନ୍ସ ହଲରେ ବାଇପାସ ନିର୍ମାଣ ପାଇଁ ସମୀକ୍ଷା ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ସଂଲଗ୍ନ ନୟାଗଡ଼ ବାଇପାସ ନିର୍ମାଣ ସମ୍ବନ୍ଧୀୟ ସମୀକ୍ଷା ତଥା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ବୈଠକ ନୟାଗଡ଼ ଜିଲ୍ଲାପାଳଙ୍କ ମିନି କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଜାତୀୟ ରାଜପଥ ବିଭାଗ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ସମ୍ବିତ କୁମାର ମହାନ୍ତି, ସହକାରୀ ବନସଂରକ୍ଷକ ହିମାଂଶ ମଲ୍ଲିକ, ତହସିଲଦାର ଭିକାରୀ ସାହୁଙ୍କ ସମେତ ପାନୀୟ ଜଳ ଯୋଗାଣ ବିଭାଗ, ବିଦ୍ୟୁତ୍ ବିଭାଗ କର୍ମଚାରୀ ଉପସ୍ଥିତ ରହିଥିଲେ । ଆବଶ୍ୟକୀୟ ଅନୁମତି ପରେ ବାଇପାସ ନିର୍ମାଣ ପାଇଁ ଆବଶ୍ୟକ ଥିବା ଜମି ଅଧିଗ୍ରହଣ କରାଯିବା ପାଇଁ ଅର୍ଥ ମଞ୍ଜୁର ହୋଇଥିଲା । ମୋଟ ୧୩୧କୋଟି ଟଙ୍କା କ୍ଷତିପୂରଣ ରାଶି ମଧ୍ୟରୁ ଏ ପର୍ଯ୍ୟନ୍ତ ୯୦ ପ୍ରତିଶତ ଜମିହରେଇଥିବା କ୍ଷତିଗ୍ରସ୍ତଙ୍କୁ ଅର୍ଥ ମିଳି ସାରିଥିବା ସୂଚନା ମିଳିଛି । ଶିବମ୍ କୋମଦେଭ୍ ପ୍ରାଇଭେଟ୍ ଲିମିଟେଡ୍ ନିର୍ମାଣ ଦାୟିତ୍ୱ ପାଇଥିବା ବେଳେ ନିର୍ମାଣ କାମ ଖୁବଶୀଘ୍ର ଆରମ୍ଭ କରିବା ଉପରେ ଆଲୋଚନା ହୋଇଥିଲା । ବଡ଼ପଣ୍ଡୁସରଠାରୁ ମାଙ୍କପଲ୍ଲୀ ପର୍ୟ୍ୟନ୍ତ ଦୀର୍ଘ ୧୭ କିଲୋମିଟର ୨୧୦ ମିଟର ବାଇପାସ ରାସ୍ତା ନିର୍ମାଣ କରାଯିବ । ରାସ୍ତା ନିର୍ମାଣ ପାଇଁ ବହୁ ପରିମାଣର ମାଟି ଆବଶ୍ୟକ ରହିଥିବା ବିଭାଗ ପକ୍ଷରୁ ଆଲୋଚନା ବେଳେ ଦର୍ଶାଯାଇଥିଲା। କେଉଁ ସ୍ଥାନରୁ ମାଟି ରାସ୍ତା ପାଇଁ ନିଆ ଯାଇପାରିବ, ତାହାକୁ ଚିହ୍ନଟ କରିବା ପାଇଁ ତହସିଲଦାରଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।

ଏହାସହ ଆଖପାଖ ପଞ୍ଚାୟତରେ ଅମୃତ ସରୋବର ଯୋଜନାରେ ପୋଖରୀ ଖୋଳାଇବା ପାଇଁ ବ୍ୟବସ୍ଥା କରିବା ମଧ୍ୟ ଆଲୋଚନା ହୋଇଛି । ଉକ୍ତ ସ୍ଥାନରୁ ମାଟି ବାଇପାସ ରାସ୍ତା ନିର୍ମାଣ ପାଇଁ ଯୋଗାଇବା ଉପରେ ଦୃଷ୍ଟି ଦେବାକୁ
ପରାମର୍ଶ ଦିଆଯାଇଛି । ସେହିଭଳି ଭାବେ ଗୋଡ଼ି ଏବଂ ମେଣ୍ଟାଲର ଆବଶ୍ୟକତା ମେଣ୍ଟାଇବା ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ପାନୀୟ ଜଳ ଯୋଗାଣ ପାଇଁ ପକା ଯାଉଥିବା ପାଇପ ଗୁଡ଼ିକୁ ଏବେଠାରୁ ରାସ୍ତା ନିର୍ମାଣକୁ ଗୁରୁତ୍ବ ଦେଇ ପକାଇବା ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଭାବେ ବିଦ୍ୟୁତ୍ କାର୍ଯ୍ୟ କରିବା ଉପରେ ଆଲୋଚନା ହୋଇଛି । ରାସ୍ତା ନିର୍ମାଣ ପାଇଁ ଗଛ କଟା ଶେଷ ହୋଇଥିବା ବେଳେ କର୍ଲଭର୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ଜାତୀୟ ରାଜପଥ ବିଭାଗକୁ ପ୍ରସ୍ତାବ ଦିଆଯାଇଛି । ଦୁଇ ବର୍ଷ ମଧ୍ୟରେ କାମ ସମ୍ପୂର୍ଣ୍ଣ କରିବା ପାଇଁ ବିଧାୟକ ଗୁରୁତ୍ବ ଦେଇଛନ୍ତି ।

Related posts