ପି.ଟି.ଏସ୍ ଛକକୁ ଗୋଲେଇ ଛକ କରିବାକୁ ଦାବୀ

ନୟାଗଡ଼: ନୟାଗଡ଼ର ପିଟିଏସ୍ ଛକକୁ ଗୋଲେଇଛକରେ ପରିଣତ କରିବାକୁ ଟାଉନ ପ୍ଳାନିଙ୍ଗ ବା ମୁନିସପାଲିଟି କର୍ତ୍ତୃପକ୍ଷ ଧ୍ୟାନ ନ ନେବା ବିଡ଼ମ୍ବନାର ବିଷୟ ପାଲଟିଛି । ଜନ ସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ଛକକୁ ଗୋଲେଇ ଛକରେ ପରିଣତ କରିବାକୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନ ଧ୍ୟାନ ନଦେବା ବିଡମ୍ବନାର ବିଷୟ ପାଲଟିଛି। ବର୍ତ୍ତମାନ ନୟାଗଡ଼ର ପିଟିଏସ୍ ଛକ ଏକ ବ୍ୟସ୍ତ ବହୁଳ ଛକ । ଡିଆରଡିଏ ରୋଡ଼ର ଦୁଇ ପାଶ୍ୱର୍ରେ ଗଢ଼ିଉଠିଲାଣି ଅନେକ ସରକାରୀ ଅଫିସ୍ । ତା ସାଙ୍ଗକୁ ଅନେକ ସ୍କୁଲ, ପିଟିଏସ, ତିନି ତିନିଟା ଆବାସିକ ମହାବିଦ୍ୟାଳୟ ସହିତ ବିଭିନ୍ନ କୋଚିଙ୍ଗ୍ ସେଣ୍ଟର ମଧ୍ୟ ଅବସ୍ଥିତ । ନିକଟସ୍ଥ ଅନେକ ଗାଁ’ର ଲୋକମାନେ ମଧ୍ୟ ଏହି ବାଟଦେଇ ଯିବା ଆସିବା କରିଥାନ୍ତି । ରାସ୍ତାଟି କିଛି ମାତ୍ରାରେ ଓସାର କରା ଯାଇଥିବାବେଳେ ଅଙ୍କାବଙ୍କା ରହିଛି । ପ୍ରଶାସନ ଟିକିଏ ନିଘା ରଖିଥିଲେ ଏ ରାସ୍ତା ବି ଅନେକାଂଶରେ ସଳଖ ହୋଇ ପାରିଥାନ୍ତା । ଏଣେ ପିଟିଏସ୍ ଛକ ବି ଅତି ସଂକୁଚିତ ହୋଇ ରହିଛି । ନୟାଗଡ଼ କଲେଜରୁ କିଛି ଯାଗା ଓ ପିଟିଏସରୁ କିଛି ଯାଗାନେଇ ଏହି ଗୋଳେଇ ଛକ କରିବାରେ କିଛି ଅସୁବିଧା ନାହିଁ । ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏଠାରେ ଗୋଳେଇ ଛକ ନିହାତି ଦରକାର । କିନ୍ତୁ ଜନସାଧାରଣଙ୍କ ଅସୁବିଧା କିଏ ବା ବୁଝୁଛି । ଏହି ଛକରେ ପ୍ରତିଦିନ ଛୋଟମୋଟ ଦୁର୍ଘଟଣାମାନ ଘଟୁଥିବାର ଦେଖାଯାଇଛି । ଏଠାରେ ନା ଗୋଲେଇଛକ, ନା ଟ୍ରାଫିକ ବ୍ୟବସ୍ଥା ନା ପୋଲିସ୍ କେହି ଯାତାୟତକୁ ନିୟନ୍ତ୍ରଣ କରିବାକୁ ନାହାନ୍ତି । ଏସବୁକୁ ଦୃଷ୍ଟିରେ ରଖି ଏଠାରେ ତୁରନ୍ତ ଏକ ଗୋଲେଇ ଛକ ନିର୍ମାଣ କରିବାକୁ ସ୍ଥାନୀୟ ଜନସାଧାରଣ ଦୃଢ଼ ଦାବୀ କରିଛନ୍ତି ।

Related posts