ଦଶପଲ୍ଲା ଠିକାଦାରଙ୍କ ଆକ୍ରୋଶର ଶିକାର ହେଲେ ଯନ୍ତ୍ରୀ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ସରକାରଙ୍କ ବିକାଶ ର କର୍ଣ୍ଣଧାର ହେଉଛନ୍ତି ଠିକାଦାର । ଠିକାଦାରମାନେ କାମ କରି ଠିକ୍ ସମୟରେ ସେମାନଙ୍କ ଅର୍ଥ ନ ପାଇବାରୁ ଏକ ଅଭାବନୀୟ ଘଟଣା ଘଟି ଯାଇଛି ଦଶପଲ୍ଲା ଏନ୍ ଏ ସି କାର୍ଯ୍ୟାଳୟ ମଧ୍ୟରେ । କାର୍ଯ୍ୟାଳୟ ମଧ୍ୟରେ କାର୍ଯ୍ଯରତ ଥିବା ଜଣେ ଯନ୍ତ୍ରୀ ଠିକାଦାରଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଆକ୍ରୋଶର ଶିକାର ହୋଇଥିବା ଯନ୍ତ୍ରୀଙ୍କ ନାମ ସୁବ୍ରତ କୁମାର ମହାପାତ୍ର । ଦଶପଲ୍ଲା ଏନ୍ ଏ ସି ଅଞ୍ଚଳ ମଧ୍ୟରେ କିଛି ବିକାଶ ମୂଳକ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ କାର୍ଯ୍ଯ କରିଥିବା ଠିକାଦାରମାନେ ସେମାନଙ୍କ ଟଙ୍କା ପାଇ ନ ଥିଲେ । ଏହାକୁ ନେଇ ଠିକାଦାରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶୁକ୍ରବାର ଦିନ ଠିକାଦାରମାନେ ଏକାଠି ହୋଇଥିଲେ। ଏକ ଦାବିପତ୍ର ଦେବା ପାଇଁ ଠିକାଦାର ମାନେ ସ୍ଥିର କରିଥିଲେ। ଠିକାଦାରମାନେ ଆସିବା ଖବର ପାଇ ନିଜ କାର୍ଯ୍ୟାଳୟରେ ଟେଣ୍ଡର କାର୍ଯ୍ଯ କରୁଥିବା ଯନ୍ତ୍ରୀ ସୁବ୍ରତ କାର୍ଯ୍ୟାଳୟରୁ ଯାଇ ଏକ ଲାଟିନ ମଧ୍ୟରେ ଲୁଚିଥିଲେ । ପରେ ଠିକାଦାରମାନେ ଦାବିପତ୍ର ଦେବା ପାଇଁ ଦଶପଲ୍ଲା ଏନ୍ ଏ ସି କାର୍ଯ୍ୟାଳୟ କୁ ଆସିଥିବା ବେଳେ ଯନ୍ତ୍ରୀ ସୁବ୍ରତଙ୍କୁ ପାଇ ନ ଥିଲେ । ପରେ ଯନ୍ତ୍ରୀ ଲାଟିନ ଭିତରେ ଥିବା ଜାଣି ଠିକାଦାର ସୁଜିତ୍ ମିଶ୍ର ଲାଟିନ କବାଟ ଭାଙ୍ଗି ତାଙ୍କୁ ଲାଟିନ ଭିତରୁ ଆଣି ଏନ୍ ଏ ସି ଉପାଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ନେଇଥିଲେ । ସେଠାରେ ସୁଜିତ ମିଶ୍ର, ପ୍ରମୋଦ ବେହେରା ଓ ସୂର୍ଯ୍ୟମଣି ଦାସ ତାଙ୍କୁ ମାଡ ମାରିଥିଲେ । ଏହି ମାଡରେ ତାଙ୍କର ବାମ ଆଖି ପତା ରକ୍ତ ଜମାଟ ବାନ୍ଧିବା ସହ ମୁଣ୍ଡ ଫାଟି ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ଠିକାଦାର ମାନେ ଏହା ଦେଖି ସେଠାରୁ ଚାଲି ଯାଇଥିଲେ ବୋଲି ଯନ୍ତ୍ରୀ ସୁବ୍ରତ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି । ମାତ୍ର ଏହି ଘଟଣାକୁ ଏନ୍ ଏ ସି ଅଧ୍ୟକ୍ଷା ନିନ୍ଦା କରିଥିବା ବେଳେ ଘଟଣା ସଂମ୍ପର୍କରେ ଯନ୍ତ୍ରୀ ସୁବ୍ରତ ମହାପାତ୍ର ଲେଖି ଦେବାପରେ ଠିକାଦାରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏନ୍ଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ ଦାୟୀତ୍ୱରେ ଥିବା ତହସିଲଦାର ଶ୍ରୀକୁମାର ରଥ ପ୍ରକାଶ କରିଛନ୍ତି ।

Related posts