ସମର୍ପଣ ବୃଦ୍ଧାଶ୍ରମର ୨୮ଲକ୍ଷ ଟଙ୍କାର ଦାନ ଅର୍ଥରାଶି ଅନିୟମିତତା ମାମଲା, ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କୁ କୋର୍ଟ ନୋଟିସ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଡିଆର୍‌ଡିଏ ରୋଡସ୍ଥିତ ଲେଖନପୁର ଗ୍ରାମଠାରେ ସ୍ଥାପିତ ସମର୍ପଣ ବୃଦ୍ଧାଶ୍ରମରେ ଗତ ୨୦୨୦ ଠାରୁ ୨୦୨୨ ମସିହା ମଧ୍ୟରେ ବିଭିନ୍ନ ବଦାନ୍ୟ ବ୍ୟକ୍ତିବିଶେଷ ମାନଙ୍କ ଠାରୁ ସଂଗୃହିତ ୨୮ଲକ୍ଷ ଟଙ୍କା ଦାନ ଅର୍ଥରାଶି ଖର୍ଚ୍ଚ କରିବାରେ ପରିଚାଳନା ପରିଷଦ ଏବଂ ସାଧାରଣ ସଭ୍ୟଙ୍କ ଅଗୋଚରରେ ଖର୍ଚ୍ଚର ବ୍ୟାପକ ଅନିୟମିତତା ହୋଇଥିବା ନେଇ ହୋଇଥିଲା ଅଭିଯୋଗ। ଏନେଇ ନୟାଗଡ଼ ଏସ୍‌ଡିଜେଏମ୍ ଅଭିଯୋଗକାରୀ ଏବଂ ସାକ୍ଷ୍ୟମାନଙ୍କର ବୟାନକୁ ଭିତିକରି ସମର୍ପଣର ପୂର୍ବତନ ସମ୍ପାଦକ ଅରୁଣ କୁମାର ମହାନ୍ତି ଏବଂ କୋଷାଧ୍ୟକ୍ଷ ଧିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧ ଆଇନ୍‌ର ଦଫା ୪୦୬/୪୨୦/୩୪ ଦଫା ଭଳି ଧର୍ତ୍ତବ୍ୟ ଅପରାଧରେ ଆଗାମୀ ଫେବୃଆରୀ ୯ ତାରିଖରେ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ପୂର୍ବତନ ସମ୍ପାଦକ ଏବଂ କୋଷାଧ୍ୟକ୍ଷଙ୍କୁ
ଫେବୃଆରୀ ୯ରେ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ

ସୂଚନାଯୋଗ୍ୟ, ଅଭିଯୋଗକାରୀ ସମର୍ପଣର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ ଏ ସମ୍ପର୍କରେ ତତ୍କାଳିନ ଜିଲ୍ଲାପାଳ ଡ. ପୋମା ଟୁଡ଼ୁ ଏବଂ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକଙ୍କୁ ବାରମ୍ବାର ସମ୍ପାଦକ ଏବଂ କୋଷାଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ ଏବଂ ଏକତରଫା ଖର୍ଚ୍ଚ ସମ୍ପର୍କରେ ଲିଖିତଭାବେ ଜଣାଇବା ପରେ ମଧ୍ୟ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ତେଣୁ ଶ୍ରୀ ପଟ୍ଟନାୟକ ନୟାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ମାମଲାର ତଦନ୍ତକାରୀ ଅଧିକାରୀଙ୍କ ବେପାରୁଆ ତଦନ୍ତ ଲାଗି ଅଭିଯୁକ୍ତଙ୍କୁ କ୍ଲିନ୍‌ଚିଟ୍ ମିଳିଥିଲା । ପୋଲିସର ଏକପାଖିଆ ତଦନ୍ତ ପ୍ରତିବାଦରେ ଅଭିଯୋଗକାରୀ ଶ୍ରୀ ପଟ୍ଟନାୟକ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ରଣଜିତ୍ ଦାଶ ମାମଲା ଲଢ଼ୁଥିବା ଜଣାପଡ଼ିଛି। କିନ୍ତୁ ସେପଟେ ସମ୍ପାଦକ ଏବଂ କୋଷାଧ୍ୟକ୍ଷଙ୍କୁ ଏ ବିଷୟରେ ପଚାରିବାରୁ ସେ ଏହାକୁ ଖଣ୍ଡନ କରିବା ସହ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି କହିଛନ୍ତି। ଆମପାଖକୁ ଏ ପର୍ଯ୍ୟନ୍ତ କୌଣସି କୋର୍ଟ ନୋଟିସ ପହଞ୍ଚି ନାହିଁ।

Related posts