ଓଡ଼ଗାଁ ପୁଲିସକୁ ସଫଳତା, ଡକାୟତିର ମାଷ୍ଟରମାଇଣ୍ଡ ମହିଳା ଗିରଫ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଥାନା ବନ୍ଧସାହି ହରିଜନ ସାହିର ରଘୁନାଥ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କରୁ ଟଙ୍କା ଆଣିବା ପାଇଁ ବୈଠକ ବସାଇଥିଲେ। ସେହି ବୈଠକରେ ଜଗନ୍ନାଥ ନାୟକଙ୍କ ସ୍ତ୍ରୀ ନିର୍ମଳା ନାୟକ ସଦସ୍ୟ ଥିଲେ। ସେ ଭୁବନେଶ୍ବରରେ ରହୁଥିବାରୁ ତାଙ୍କୁ ଖବର ଦିଆଯାଇଥିଲା ଏବଂ ତାରିଖ ଅନୁଯାୟୀ ନିର୍ମଳା ଆସି ବୈଠକରେ ଯୋଗ ଦେଉଥିଲେ । ବୈଠକ ସରିବା ପରେ ନିର୍ମଳା ପୁଣି ଭୁବନେଶ୍ବର ଚାଲି ଯାଉଥିଲେ । କିନ୍ତୁ ସ୍ବୟଂ ସହାୟକ ଗ୍ରୁପ୍ କେବେ ଟଙ୍କା ଉଠାଇବେ ତା’ଉପରେ ନିର୍ମଳା ନଜର ରଖିଥିଲେ। ଗ୍ରୁପର କିଛି ମହିଳାଙ୍କ ସହ ସଂପର୍କ ରଖି କେଉଁଦିନ ଟଙ୍କା ବ୍ୟାଙ୍କରୁ ଉଠିବ ପଚରାଉଚୁରା କରି ଜାଣିବା ପରେ ଗତ ଅକ୍ଟୋବର ୨୮ତାରିଖ ଦିନ ଓଡ଼ଗାଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆଗରେ ଆସି ଜଗି ବସିଥିଲେ। ସେହି ସମୟରେ ରଘୁନାଥ ସ୍ବୟଂ ସହାୟକ ଗ୍ରୁପର ସଭାପତି ଗୁମାନି ନାୟକ ଓ ସମ୍ପାଦକ ରଞ୍ଜନା ନାୟକ ଯାଇ ପହଂଚିଥିଲେ। ଏହିସବୁ ଟିକିନିଖ୍ ଖବର ନିର୍ମଳା ପୁଅକୁ ଫୋନ୍‌ ଯୋଗେ କହୁଥିଲା। ବାଇକ୍ ଯୋଗେ ଟଙ୍କା ନେଇ ସଭାପତି ଗୁମାନୀ ନାୟକ ଏବଂ ତାଙ୍କ ସ୍ବାମୀ ଯାଉଥିବା ସମୟରେ କେନାଲ ଛକରୁ ଜଣେ ଦୁର୍ବୁତ୍ତ ତାଙ୍କ ପିଛା କରିଥିଲା। ଆଉ ତିନିଜଣ ବନ୍ଧସାହି ମଶାଣୀ ଠାରେ ତାଙ୍କୁ ଅଟକାଇ ମାରଣାସ୍ତି ଦେଖାଇ ୪ଲକ୍ଷ ୧୪ହଜାର ଟଙ୍କା ଧରି ଚମ୍ପଟ ମାରିଥିଲେ। ଟଙ୍କା ଲୁଟ୍‌ ଘଟଣାରେ ଗତକାଲି ଓଡ଼ଗାଁ ପୁଲିସକୁ ମିଳିଛି ବଡ଼ ସଫଳତା ମିଳିଛି। ତଦନ୍ତକାରୀ ଅଫିସର ଚକ୍ରଧର ସିଂହ ଏବଂ କର୍ମଚାରୀମାନେ ନିର୍ମଳା ନାୟକକୁ ଭୁବନେଶ୍ବର ସାଲିଆ ସାହିରୁ ଗିରଫ କରିବାରେ ସଫଳ ହୋଇଛନ୍ତି। ନିର୍ମଳା ଠାରୁ ୪୫ହଜାର ଟଙ୍କା ଏବଂ ଏକ ମୋବାଇଲ୍ ଫୋନ୍ ଜବତ କରିଥିବା ପୁଲିସ ସୂଚନା ଦେଇଛି। ଏହି ଡ଼କାୟତି ଘଟଣାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶ୍ରୀଘ୍ର ଧରାଯିବ ବୋଲି ଓଡ଼ଗାଁ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ସୂଚନା ଦେଇଛନ୍ତି।

Related posts