ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ “ସମସ୍ତଙ୍କ ପାଇଁ ବାସଗୃହ” ସଂପର୍କୀୟ ଏକ ହିତଧାରକ କର୍ମଶାଳା ମହାବୀରପାଟଣା ବସ୍ତିର ପରିଚୟ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ୨୦୨୦-୨୧ମସିହାରେ ଗୃହ ପାଇଥିବା ୧୬୩ଜଣ ହିତାଧିକାରୀ ଏଥିରେ ଯୋଗ ଦେଇଥିଲେ । ପୌରାଧ୍ୟକ୍ଷା ନିରୂପମା ଖଟେଇ, ନିର୍ବାହୀ ଅଧିକାରୀ ମିସ୍ ସ୍ବାତୀ ମିଶ୍ର, ପୂର୍ବତନ କାଉନସିଲର ନେତ୍ରାନନ୍ଦ ସାହୁ
ପ୍ରମୁଖ ଅତିଥିଭାବେ ଯୋଗଦେଇ ସମସ୍ତଙ୍କ ସକ୍ରୀୟ ସହଯୋଗ କାମନା କରିଥିଲେ । କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ “ଜୀବନ ଜୀବିକା ପାଇଁ ଧନ୍ଦା ମୂଳକ ଶିକ୍ଷା” ସଂସ୍ଥାର ବରିଷ୍ଠ ଅଧିକାରୀ ଲକ୍ଷ୍ମୀକାନ୍ତ ପାଇକିରା ଓ ମୁରଲୀଧର ବରାଡ ପ୍ରମୁଖ ଦୁଇ ଜଣିଆ ଟିମ୍ ଯୋଗଦେଇ ଗୋଷ୍ଠୀଗତ ଆଲୋଚନା କରିଥିଲେ । ଆବାସର ଚୟନ ପକ୍ରିୟା, କାର୍ଯ୍ୟାଦେଶ ବଣ୍ଟନ, ଗୃହ
ନିର୍ମାଣର ସ୍ତର, କର୍ମଚାରୀଙ୍କ ସହଯୋଗ ଓ ହିତାଧିକାରୀଙ୍କ ଆନ୍ତରିକତା ପ୍ରଭୃତି ଦିଗ ପ୍ରତି ଆଲୋଚନା କରିଥିଲେ । ଯୋଜନାର ଅଧିକ କାର୍ଯ୍ୟକାରିତା ଓ ସମନ୍ବୟ ପାଇଁ ୫ଟି ସବ-କମିଟି ଗଠନ କରଯାଇଥିଲା । ୧୦ଜଣ ଭିନ୍ନକ୍ଷମ ଓ ୨ଜଣ ତୃତୀୟ ଲିଙ୍ଗ ପରିବାରକୁ ଆବାସ ଯୋଜନାରେ ଗୃହ ଦିଆଯାଇଥିବାରୁ “ଟିମ୍” ଖୁସି ପ୍ରକଟ କରିଥିଲେ । ଆବାସ ବିଶେଷଜ୍ଞ ନିଗମ ମହାପାତ୍ର, ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନ କରିଥିଲେ । ଏହି ଅବସରରେ ଗଜେନ୍ଦ୍ର ମହାରଣା, ରଞ୍ଜନ ମହାପାତ୍ର ଓ ତ୍ରିଲୋଚନ ସାହୁ ପ୍ରମୁଖ ମୁନିସପାଲିଟି କର୍ମଚାରୀ ସହଯୋଗ କରିଥିଲେ । ଆସନ୍ତା କାଲି ଜଜାଙ୍ଗୀସାହି ବସ୍ତିରେ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଅଛି । ୩ଦିନିଆ ଗସ୍ତରେ “ଟିମ୍” ପ୍ରାୟ ୮୦ଟି ପରିବାରକୁ ସାକ୍ଷାତ
କରିବା କାର୍ଯ୍ୟକ୍ରମ ରହିଛି ।

