ନୟାଗଡ଼,(ନୟାଗଡ଼ ଦର୍ପଣ): ସାରା ଭାରତ ବର୍ଷରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଥିବା ବେଳେ ନୟାଗଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନୟାଗଡ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରୁ ସାମ୍ବାଦିକମାନେ ଯୋଗଦେଇଥିଲେ । ଏ ଅବସରରେ ଜାତୀୟ ପ୍ରେସ ଦିବସ ସମ୍ପର୍କରେ ସାମ୍ବାଦିକ ନିଶିକାନ୍ତ ରଥ, ରାମକୃଷ୍ଣ ରଥ, ଗୋକୁଳ ଷଡ଼ଙ୍ଗୀ, ହୁସେନ ଖାନ୍, ଆଲୋକ ସେନାପତି, ଜୟେନ୍ଦ୍ର ବେହେରା, ଶୁଭେନ୍ଦୁ କୁମାର ଦାସ ଓ ସାମ୍ବାଦିକ ନିରଞ୍ଜନ ଦାସଙ୍କ ସୂକନ୍ୟା ବିଷ୍ଣୁପ୍ରିୟା ଦାସ ପ୍ରମୁଖ ବକ୍ତବ୍ୟ ରଖିବା ସହ ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଶେଷ ଭାବେ ସାମ୍ବାଦିକମାନଙ୍କ ସୁରକ୍ଷା ସମ୍ପର୍କରେ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଆଗାମୀ ବିଧାନ ସଭା ସମୟ ରେ ରାଜ୍ୟ ସାମ୍ବାଦିକ ସଙ୍ଗଠନ ପକ୍ଷରୁ ବିଧାନ ସଭା ସମ୍ମୁଖରେ ଧାରଣା ଦିଆଯିବ ବୋଲି ସୂଚନା ଦେଇଥିଲେ । ଏ ଅବସରରେ ରାଷ୍ଟ୍ର ଗଠନରେ ପୂର୍ବ ଓ ପର ସମୟରେ ସାମ୍ବାଦିକମାନଙ୍କ ଭୂମିକା ସମ୍ପର୍କରେ ଜିଲ୍ଲାପାଳ ବିସ୍ତୃତ ବକ୍ତବ୍ୟ ରଖିଥିଲେ । ବିଶେଷ ଭାବେ ସାମ୍ବାଦିକମାନେ ଖବର ପ୍ରସାରଣ ପୂର୍ବରୁ ବିଭାଗୀୟ ଅଧିକାରୀମାନଙ୍କ ମତାମତ ନେବା, ନେଗେଟିଭ ଖବର ଅପେକ୍ଷା ଜିଲ୍ଲାର ଭଲ ଭଲ ଖବର ପ୍ରସାରଣ ପାଇଁ ଜିଲ୍ଲାପାଳ ଉପସ୍ଥିତ ସାମ୍ବାଦିକମାନଙ୍କୁ ମତବ୍ୟକ୍ତ କରିଥିଲେ । ଫଳରେ ରାଜ୍ୟରେ ଆମ ଜିଲ୍ଲାର ସୁନାମ ବଢ଼ି ପାରିବ ବୋଲି ମତବ୍ୟକ୍ତ କରିବା ସହ ସାମ୍ବାଦିକ ଓ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ସମନ୍ଵୟ ରହିବା ଉଚିତ୍ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ଅନ୍ୟତମ ଅତିଥିଭାବେ ନୟାଗଡ ବିଡ଼ିଓ ପଦ୍ମ ଚରଣ ସାହୁ ଉପସ୍ଥିତ ଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ସଭାପରିଚାଳନା କରିଥିଲେ ।
ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ
