ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଯେଉଁ ଶିକ୍ଷାନୁଷ୍ଠାର ପାଠାଗାର ଯେତେ କ୍ରିୟାଶୀଳ ସେ ଶିକ୍ଷାନୁଷ୍ଠାନ ସେତେ ଉନ୍ନତ। ଆନୁଷ୍ଠାନିକ ହେଉ ବା ଅଣଆନୁଷ୍ଠାନିକ ହେଉ ଶିକ୍ଷାର ଅଗ୍ରଗତିରେ ପାଠାଗାରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଭଲ ପାଠାଗାର ଟିଏ ଗୋଟିଏ ଶିକ୍ଷାନୁଷ୍ଠାନର ଅଳଙ୍କାର ରୂପେ ପରିଗଣିତ ହୋଇଥାଏ। ଏ ପରିପ୍ରେକ୍ଷୀରେ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଶିଶୁ ଦିବସରେ କୁରାଳ ନିକଟସ୍ଥ ନାଥିଆପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସମାଜ ସଂସ୍କାରକ ପରିବେଶ ପ୍ରେମୀ ଶିକ୍ଷାବିତ୍ ସ୍ବର୍ଗତ ରାସବିହାରୀ ଖଟେଇ ଓ ତାଙ୍କ ଧର୍ମପତ୍ନୀ ସ୍ବର୍ଗତ ଶଶି ଖଟେଇଙ୍କ ସ୍ମୃତିରେ ତାଙ୍କ ପରିବାର ତରଫରୁ ବିଦ୍ୟାଳୟର ‘ମୋ ସ୍କୁଲ୍’ ପାଣ୍ଠିକୁ ଦେଇଥିବା ତିରିଶ ହଜାର ଟଙ୍କା ଓ ସେ ବାବଦରେ ସରକାରଙ୍କ ଠାରୁ ମିଳିଥିବା ଦୁଇ ଗୁଣ ଅନୁଦାନକୁ ନେଇ ବହୁ ଉପାଦେୟ ପୁସ୍ତକରେ ଗଢା ଶଶି ରାସ ବିହାରୀ ପାଠାଗାରର ଶୁଭ ଉଦ୍ଘାଟନ ହୋଇଯାଇଅଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିବାସ ଜେନାଙ୍କ ସଭାପତିତ୍ବ ଓ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମିଶ୍ରଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ବିଜନ୍ କୁମାର ପାଇକରାୟ, ମୁଖ୍ୟ ବକ୍ତା ରୂପେ ଜିଲ୍ଲା ପରିଷଦ ସଭ୍ୟା ଝିଲ୍ଲି ପ୍ରଧାନ, ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ ତଥା ରାସ ବିହାରୀ ଖଟେଇଙ୍କ ସୁପୁତ୍ର ଶିବ ପ୍ରସାଦ ଖଟେଇ, ଜିଲ୍ଲା ପାଠାଗାର ସଂଘ ସଦସ୍ୟ ତଥା ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ସମାଜସେବୀ ସୁକାନ୍ତ ଚୌଧୁରୀ, ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ସାହୁ ଏବଂ ବିଦ୍ୟାଳୟ ପୁରାତନ ଛାତ୍ର ପରିଷଦ ସଭାପତି ନମିତା ବେହେରା ଯୋଗ ଦେଇ ରାସ ବିହାରୀ ଖଟେଇ ଙ୍କ ମହନୀୟତା ଓ ଶିକ୍ଷାରେ ପାଠାଗାର ର ଭୂମିକା ସମ୍ପର୍କେ ଆଲୋକପାତ କରିଥିଲେ । ଶିଶୁ ଦିବସ ଉପଲକ୍ଷେ ଅନୁଷ୍ଠିତ ପ୍ରତିଯୋଗିତା ର ବିଜୟୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରି ଖୁସି ବାଣ୍ଟିଥିଲେ। ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ମାତା ଶିକ୍ଷକ ସଂଘ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସଭ୍ୟାଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା।ଖଟେଇ ପରିବାରଙ୍କ ଅବଦାନ ଓ ରାଜ୍ୟ ସରକାରଙ୍କ ମୋ ସ୍କୁଲ୍ ଅଭିଯାନ ଜରିଆରେ ବିଦ୍ୟାଳୟ ଉନ୍ନତିକରଣ ସକାଶେ କରାଯାଉଥିବା ସହଯୋଗକୁ ଜନସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି।
ଶଶିରାସ ବିହାରୀ ପାଠାଗାରର ଶୁଭ ଉଦ୍ଘାଟନ
