ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅବହେଳା ଯୋଗୁଁ ଜିଲ୍ଲାରେ ୫ଟି ଘରୋଇ ବେସରକାରୀ ଚିକିତ୍ସାଳୟରେ ବିଜୁ ସ୍ଵାସ୍ଥ୍ୟ ବୀମା ଯୋଜନା ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ରୋଗୀମାନେ ଏହି ଯୋଜନାରୁ ବଞ୍ଚିତ ହୋଇ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅପରାହ୍ନରେ ନିସ୍ତେଜକ ଡାକ୍ତର ରହୁନଥିବାରୁ ଆସୁଥିବା ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଫଳରେ ରୋଗୀ ସ୍ଵାସ୍ଥ୍ୟବୀମା କାର୍ଡ ଥାଇ ମଧ୍ୟ ଅପରେସନ ପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି। ଜିଲାରେ ବିଜୁ ସ୍ଵାସ୍ଥ୍ୟ ବୀମାରେ ଚିକିତ୍ସା ପାଇଁ ଘୋଷଣା କରାଯାଇଥିବା ୫ଟି ଚିକିତ୍ସାଳୟକୁ ପ୍ରତିଦିନ ଶହଶହ ରୋଗୀ ଆସୁଛନ୍ତି । ମାତ୍ର ସିଡିଏମ୍ଓଙ୍କ ଅବହେଳାରୁ ଏମ୍ଓୟୁ ଦସ୍ତଖତ ହୋଇପାରିନଥିବାରୁ ରୋଗୀମାନେ ବହୁ ହନ୍ତସନ୍ତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକାରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନୟାଗଡ଼ରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହେଉଛି। ସୂଚନା ଥାଉକି, ରାଜ୍ୟରେ ୫-ଟି ଯୋଜନା କାର୍ଯ୍ୟକାରୀ ହେଉଥିଲାବେଳେ ନୟାଗଡ଼ ଜିଲ୍ଲାରେ ଜିଲା ସ୍ବାସ୍ଥ୍ୟ ବିଭାଗର ଅବହେଳା କାହିଁକି ହେଉଛି ବୋଲି ପ୍ରଶ୍ନ ଉଠିଛି। ତୁରନ୍ତ ନୟାଗଡ଼ ଜିଲାରେ ବିଜୁ ସ୍ବାସ୍ଥ୍ୟବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।
ଜିଲ୍ଲାର ଘରୋଇ ଚିକିତ୍ସାଳୟରେ କାମ କରୁନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ
