ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ସହର ଦେଇ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରିଥିବା ବେଳେ ଦଶପଲ୍ଲା
ସହର ଠାରେ ଖୁବଶୀଘ୍ର ଜାତୀୟ ରାଜପଥ ବିଭାଗ ପକ୍ଷରୁ ୫.୩୩ କିମି ଲମ୍ବର ଏକ ବାଇପାସ୍ ରାସ୍ତା ନିର୍ମାଣ ହେବ। ମୁଖ୍ୟତଃ ଏହି ରାଜପଥଟି
ପୂର୍ବ ଓ ପଶ୍ଚିମ ଓଡିଶା ମଧ୍ୟରେ ଯୋଗାଯୋଗ କରୁଥିବା ବେଳେ ଦୈନିକ ବଲାଙ୍ଗୀର, ସମ୍ବଲପୁର, ସୋନପୁର, ବୌଦ୍ଧ ଜିଲ୍ଲା ସହ ଭୁବନେଶ୍ଵର,
କଟକ, ପୁରୀ ଭଳି ବଡବଡ ସହରକୁ ହଜାର ହଜାର ସଂଖ୍ୟାରେ ଯାନବାହନ ଯାତାୟାତ କରୁଛି। ଫଳରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଅସମ୍ଭାଳ
ପରିସ୍ଥିତି ସୃଷ୍ଟି କରୁଛି। ଏହାକୁ ଲକ୍ଷ୍ୟରଖି ବାଇପାସ୍ ରାସ୍ତା ପରିକଳ୍ପନା କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଅନୁମୋଦନ
ମିଳିସାରିଛି। ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଜନଶୁଣାଣି ଶିବିରରେ ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନଏସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀଙ୍କ ଉପସ୍ଥିତିରେ ଏହି ବାଇପାସର ଘୋଷଣା କରାଯାଇଛି। ଜାତୀୟ ରାଜପଥ ବିଭାଗର ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର ଜେନା ଓ ନୟାଗଡ ସହକାରୀ ନିର୍ବାହୀ ଯନ୍ତ୍ରୀ ଚନ୍ଦନ କୁମାର
ରଥ ଏହି ପ୍ରକଳ୍ପ ପାଇଁ ହୋଇଥିବା ପ୍ରାରମ୍ଭିକ ସର୍ଭେର ସୂଚନା ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପରେ ୧୬୧.୦୧ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ସୂଚନା ମିଳିଛି। ଦଶପଲ୍ଲାର ସରିଗଣ୍ଡା ପଂଚାୟତ ନିକଟସ୍ଥ ନରସିଂହପୁର ଠାରୁ ଚକ୍ରଧରପୁର ଛକ ପର୍ଯ୍ୟନ୍ତ ୫.୩୩ କିମି ଦୂରତା ସାଙ୍ଗକୁ ୧୩୫ ଫୁଟ ଚଉଡା ରାସ୍ତା ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ୧୦ ଗୋଟି ରାଜସ୍ବ ଗ୍ରାମର ୫୯ ଏକର ସରକାରୀ ଜମି, ୪୯ ଏକର ଘରୋଇ ଜମି ସାଙ୍ଗକୁ ବାସଗୃହ ସହ ୨.୬ ଏକର ଗ୍ରାମ୍ୟ ଜଙ୍ଗଲର ଜମି ଅଧିଗ୍ରହଣ କରାଯିବ। ମହୁଲିଆ ନିକଟରେ କୁଆଁରିଆ ନଦୀ ଉପରେ ଏକ ସେତୁ ନିର୍ମାଣ କରାଯିବ।ଦଶପଲ୍ଲା-ଭଞ୍ଜନଗର ରାଜ୍ୟ ରାଜପଥରେ ୩୦ ମିଟର ଲମ୍ବର ଏକ ଫ୍ଲାଇ ଓଭର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ବଡକଥା ହେଉଛି ଗତ ୧ ବର୍ଷ ମଧ୍ୟରେ ଏହି ବାଇପାସ୍ ରାସ୍ତାର ପରିକଳ୍ପନା କାରଯାଇଥବା ବେଳେ ରାଜ୍ୟ ସରକାର ଏହାକୁ ଗୁରୁତ୍ଵ
ଦେବାସହ ଅନୁମୋଦନ ଦେଇଛନ୍ତି। ଦଶପଲ୍ଲା ସହରର କ୍ରମ ବଦ୍ଧିଷ୍ଣୁ ଜନସଂଖ୍ୟା, ସଂକୀର୍ଣ୍ଣ ରାସ୍ତା ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ବାଇପାସ୍ ରାସ୍ତାର ପରିକଳ୍ପନା ବୋଲି ବିଧାୟକ ଶ୍ରୀ ବେହେରା ପ୍ରକାଶ କରିବା ସହ ଏହି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି।
ଦଶପଲ୍ଲାରେ ଦୂର ହେବ ଟ୍ରାଫିକ ସମସ୍ୟା, ବାଇପାସ୍ ପାଇଁ ୧୬୧.୧ କୋଟି ଟଙ୍କା ମଞ୍ଜୁର
