ବିଧାନସଭାରେ ବିଧାୟକଙ୍କ ଦାବି ପରେ ଶରଣକୁଳରେ ନିର୍ମାଣ ହେବ ବାଇପାସ ରାସ୍ତା

ନୟାଗଡ଼- ନାଉଖାଲ ୨୧ ନଂ. ରାଜ୍ୟ ରାଜପଥର ଶରଣକୁଳ ଅଞ୍ଚଳରେ ବାଇପାସ ନିର୍ମାଣ ହେବ। ଏଥି ନିମନ୍ତେ ରାଜ୍ୟ ସରକାର ୨୫ କୋଟି ଅର୍ଥ ମଞ୍ଜୁର କରିଛନ୍ତି। ଦୀର୍ଘ ଦିନ ଧରି ଶରଣକୁଳ ବାଇପାସ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଆସୁଥିଲେ। ସୂଚନାଯୋଗ୍ୟ ଶରଣକୁଳ ଦେଇ ଜାତୀୟ ରାଜପଥ ଯାଇ ନ ଥିଲେ ମଧ୍ୟ ଏଠାରେ ୨୧ ନଂ. ରାଜ୍ୟ ରାଜପଥ ଯାଇଛି। ନୟାଗଡ ଜିଲ୍ଲାର ଶରଣକୁଳ ରାଜ୍ୟର ପ୍ରମୁଖ ଶୈବ କ୍ଷେତ୍ର ଓ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଗତ ଦେଢ଼ ବର୍ଷ ଭିତରେ ଶରଣକୁଳରେ ୧୨ ଜଣଙ୍କ ଜୀବନ ଗଲାଣି। ଶରଣକୁଳସ୍ଥିତ ଲଡୁବାବାଙ୍କ ମନ୍ଦିରକୁ ଲାଗି ୨୧ ନଂ. ରାଜ୍ୟ ରାଜପଥ ଯାଇଛି । ଏଠାରେ ବାଇପାସ୍‌ ରାସ୍ତା ନିର୍ମାଣ ଆବଶ୍ୟକତା ରହିଥିଲା। ରାସ୍ତା ସଂକୀର୍ଣ୍ଣ ହେବା ଯୋଗୁଁ ୨୦୨୦ ନଭେମ୍ବର ୨୪ରେ ଶରଣକୁଳରେ ୬ଜଣ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ଟ୍ରକ ଧକ୍କାରେ ଜଣେ ୩ ବର୍ଷର ଶିଶୁ ପ୍ରାଣ ହରାଇଥିଲା। ଏଠାରେ ଗତ ଦେଢ଼ ବର୍ଷ ଭିତରେ ୧୨ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇ ସାରିଲେଣି। ଦୁର୍ଘଟଣାକୁ ଏଡାଇବା ପାଇଁ ବାଇପାସ୍‌ ନିର୍ମାଣ ଜରୁରୀକୁ ମନେ କରି ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଲୋକଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଥମ ଦଫାରେ ପୂର୍ତ୍ତ ବିଭାଗ ନିମନ୍ତେ ୨୫ କୋଟି ଅର୍ଥ ମଞ୍ଜୁର ହୋଇଥିବା ଜଣାପଡିଛି। ଏଥି ମଧ୍ୟରୁ ୨୦ କୋଟି ଟଙ୍କା ଜମି ଅଧିଗ୍ରହଣରେ ଖର୍ଚ୍ଚ ହେବ। ଅନ୍ୟପକ୍ଷେ ଶରଣକୁଳ ପାଇଁ ବାଇପାସ୍‌ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। କଟରାଝରି ଡ୍ୟାମ୍‌ଠାରୁ ବାଉଁଶିଆ ଶାସନ, ଶିଖରପୁର ପୋଲ, ଶିଖରପୁର ଗହିର ଦେଇ କରଡା ଶାସନ ପୂର୍ବରୁ ବାଇପାସ୍‌ ଯିବ। ଏଠାର ବାଇପାସ୍‌ ପାଇଁ ଆଲଟ୍‌ମେଣ୍ଟ ଆପୁ୍ରଭ ହୋଇ ସାରିଛି। ଜମି ଅଧିଗ୍ରହଣ ପାଇଁ ଫାଇନାଲ ସର୍ଭେ ଚାଲିଛି । ସମୁଦାୟ ବାଇପାସ୍‌ ୫ କି.ମି.୪୦୦ମିଟର ହେବ ବୋଲି ଜଣାପଡିଛି।

Related posts