ଜିଲ୍ଲା ସ୍ତରୀୟ ସ୍ବୟଂ ସହାୟକ ଗୋଷ୍ଠୀ ମେଳା ଅନୁଷ୍ଠିତ, ୫୪୩ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ୨୩.୨୮କୋଟି ଟଙ୍କାର ଋଣ ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଷ୍ଟେଟ ବ୍ୟାଙ୍କ ଆନୁକୂଲ୍ୟରେ ନୟାଗଡ଼ ଡି.ଆର.ଡି.ଏ. ସ୍ଥିତ “ସୃଜନ” ପ୍ରେକ୍ଷାଳୟଠାରେ ଜିଲ୍ଲା ସ୍ତରୀୟ ସ୍ବୟଂ ସହାୟକ ଗୋଷ୍ଠୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳର ମହା ପ୍ରବନ୍ଧକ, ପୋନାବଲମ ଏମ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦର ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଡା. ପୋମା ଟୁଡୁ, ଡି.ଆର.ଡି.ଏ.ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟ ଅଂଶ ଗ୍ରହଣ କରିଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କ ଜୋନ-୧ ର ଉପ ମହାପ୍ରବନ୍ଧକ ସଞ୍ଜୟ କୁମାର ଝା ଏବଂ ଖୋର୍ଦ୍ଧା-ନୟାଗଡ଼ ଅଞ୍ଚଳର ଆଞ୍ଚଳିକ ମହା ପ୍ରବନ୍ଧକ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଆୟୋଜନରେ ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବହୁ କ୍ଷୁଦ୍ର ଶିଳ୍ପୀ, ଭାରତୀୟ ଷ୍ଟେଟ ବ୍ୟାଙ୍କର ବହୁ ଅଧିକାରୀ ତଥା ଓଡିଶା ଜୀବିକା ମିଶନର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଉପ ମହାପ୍ରବନ୍ଧକ ସଞ୍ଜୟ କୁମାର ଝା ସ୍ବାଗତ ଅଭିଭାଷଣ ଦେଇଥିଲେ । ମଞ୍ଚାସୀନ ଅତିଥିମାନେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନର ଉପାଦେୟତା, ମହିଳା ସଶକ୍ତିକରଣ, କୃଷି ଏବଂ କ୍ଷୁଦ୍ର ଶିଳ୍ପର ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ । ଅତିଥିମାନେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରଦର୍ଶନୀ ମଣ୍ଡପ ପରିଦର୍ଶନ କରିଥିଲେ ଏବଂ ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହି ମେଳା ପାଇଁ ଜିଲ୍ଲାର ୧୦ଟି ଶାଖା ତରଫରୁ, ୫୪୩ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ୨୩.୨୮ କୋଟି ଟଙ୍କାର ଋଣ (ନୂତନ ଏବଂ ନବୀକରଣ) ପ୍ରଦାନ କରାଯାଇଥିଲା । ତନ୍ମଧ୍ୟରୁ ୮୦ଟି ଗୋଷ୍ଠୀକୁ ମଞ୍ଚାସୀନ ଅତିଥିମାନେ ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଏବଂ ମୁଖ୍ୟମନ୍ତ୍ରୀ କୃଷି ଉତ୍ଥାନ ଯୋଜନା ମାଧ୍ୟମରେ ଋଣ ପାଇଥିବା କ୍ଷୁଦ୍ରଶିଳ୍ପୀମାନଙ୍କୁ ମଧ୍ୟ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଖୋର୍ଦ୍ଧା-ନୟାଗଡ଼ ଅଞ୍ଚଳର ଆଞ୍ଚଳିକ ମହା ପ୍ରବନ୍ଧକ ଭୂପଦେବ ପ୍ରଧାନ, ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts