ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ କଲ୍ୟାଣ ମଣ୍ଡପ ଠାରେ ବ୍ଳକ ଗୁରୁ ଦିବସ ଅବସରରେ ବ୍ଳକ ଶିକ୍ଷା ସମୂହ ଦ୍ୱାରା ଆୟୋଜିତ ଗୁରୁ ପୂଜନ ଉତ୍ସବରେ ୩୦୦ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ପୂଜ୍ୟ ଗୁରୁ ଗୁରୁମାଙ୍କୁ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରଘୁନାଥ ସମବାୟ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଅଧିବାସ ପଣ୍ଡା, ପୂର୍ବତନ ପ୍ରଧାନଶିକ୍ଷକ ଗୌରଚନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ପୂର୍ବତନ ସରପଞ୍ଚ ଦିବାକର ନାୟକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ପ୍ରଥମେ ଗୁରୁ ଦିବସ ଉପଲକ୍ଷେ ପ୍ରତ୍ୟେକ ଗୁରୁଙ୍କୁ ଲୋକ ପ୍ରତିନିଧିମାନଙ୍କ ଦ୍ୱାରା ଫୁଲ ଚନ୍ଦନ ପ୍ରଦାନ ପୂର୍ବକ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ବିଧାୟକ ଡ଼ ସାହୁ ନିଜ ବକ୍ତବ୍ୟରେ ପୁରାତନ ଶିକ୍ଷା ବ୍ୟବସ୍ଥା ଓ ବର୍ତ୍ତମାନ ସମାଜର ଶିକ୍ଷାକୁ ତୁଳନା କରି ଅତ୍ୟନ୍ତ କ୍ଷୁବ୍ଧ ଅନୁଭବ କରିଥିଲେ। ବିଶେଷ କରି ବର୍ତ୍ତମାନ ସମୟରେ ସମାଜରେ ଯୁବ ପିଢ଼ିଙ୍କ ମଧ୍ୟରେ ସହନଶୀଳତା କମିଛି, ନୀତି, ନୈତିକତା, ଆଦର୍ଶ ଓ ମୁଲ୍ୟବୋଧର ଅଭାବ ରହିଛି ଯଦ୍ୱାରା ସମାଜରେ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହେଉଛି। ଯାହା ଫଳରେ ପିଲାଟି କେବଳ ଜଣେ ମାନବ ଯନ୍ତ୍ରାଂଶ ପାଲଟି ଯାଉଛି ଓ ତାହାର ପ୍ରଥମ ଶିକାର ପିତାମାତା ହେଉଛନ୍ତି ବୋଲି କହିଥିଲେ। ଅନ୍ୟପକ୍ଷେ ବର୍ତ୍ତମାନର ଶିକ୍ଷକଙ୍କୁ ଶିଶୁଟିର ମାନସିକ ସ୍ତରରେ ବିକଶିତ କରିବା ପାଇଁ ଅନୁରୋଧ କରିଥିଲେ। ଅନ୍ୟପକ୍ଷେ ଶିଶୁମାନଙ୍କୁ ମୂଲ୍ୟବୋଧଭିତ୍ତିକ ଶିକ୍ଷାପ୍ରଦାନ କରିବା ଦ୍ୱାରା ଶିକ୍ଷାର ମର୍ଯ୍ୟାଦା ଓ ଗୁରୁତ୍ୱ ବୃଦ୍ଧି ପାଇଥାଏ।
ବିଶେଷ କରି ଉପସ୍ଥିତ ଅବସରପ୍ରାପ୍ତ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଆପଣ ଚାକିରୀ ଜୀବନରୁ ଅବ୍ୟାହତି ନେଇଛନ୍ତି ସତ କିନ୍ତୁ ଶିକ୍ଷକତାରୁ ଅବସର ନେଇନାହାନ୍ତି ଓ ଶିକ୍ଷାକୁ ଜୀବନବ୍ୟାପି ସାଧନାରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ। ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ବିଜନ ପାଇକରାୟ, ନିତ୍ୟାନନ୍ଦ ପ୍ରଧାନ, ବିଭୁ ସାହୁ, ସୂର୍ଯ୍ୟକାନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
