ସୂଚନା ଅଧିକାର ଆଇନରେ ତଥ୍ୟ ଲୁଚାଇବା ମହଙ୍ଗା ପଡ଼ିଲା

ଜନସୂଚନା ଅଧିକାରୀଙ୍କୁ ଆଠ ହଜାର ଟଙ୍କାର ଆର୍ଥିକ ଦଣ୍ଡ ସହ, କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ସୂଚନା ଅଧିକାର ଆଇନରେ ତଥ୍ୟ ଲୁଚାଇବା ମହଙ୍ଗା ପଡ଼ିଲା। ଜନସୂଚନା ଅଧିକାରୀଙ୍କୁ ୮ହଜାର ଟଙ୍କାର ଆର୍ଥିକ ଦଣ୍ଡ ସହ, କନିଷ୍ଠ ଯନ୍ତ୍ରୀଙ୍କ ଉପରେ ବିଡ଼ିଓଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଲେ ରାଜ୍ୟ ସୂଚନା କମିଶନ। ସୂଚନା ଅନୁସାରେ ଆବେଦନକାରି ଶିବରାମ ମହାପାତ୍ର ଗତ 2019 ମସିହାରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ମନେରେଗାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ମଜୁରୀ ଦିଆଯାଉନଥିବା ପ୍ରସଙ୍ଗରେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ। ନୟାଗଡ଼ ନୂଆଗାଁ ବ୍ଲକ ଅନ୍ତର୍ଗତ ମହୀତମା ମହାଦେବ ପୋଖରୀ ଖୋଳାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ ଅଦ୍ୟାବଧି କେଉଁ କାରଣରୁ ଏଥିରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କର ମଜୁରୀ ମିଳିନାହିଁ ଏନେଇ ବିସ୍ତୃତ ତଥ୍ୟ ଦେବାକୁ ଏହି ଆବେଦନରେ ଦର୍ଶାଯାଇଥିଲା।

ତେବେ ଏହି ତଥ୍ୟ ୱେବସାଇଟରେ ଉପଲବ୍ଧ ନଥିବା ଦର୍ଶାଇ ତତ୍କାଳୀନ ନୂଆଗାଁ ବ୍ଲକ ଜନସୂଚନା ଅଧିକାରୀ ବିଭ୍ରାନ୍ତକର ତଥ୍ୟ ପ୍ରଦାନ କରିଥିଲେ। ଏହାପରେ ନୂଆଗାଁ ବିଡ଼ିଓଙ୍କ ପାଖରେ ପୁଣିଥରେ ଏହି ତଥ୍ୟ ଦେବାକୁ ନେଇ ପ୍ରଥମ ଅପିଲ କରିଥିଲେ ଶିବରାମ। ତେବେ, ଏହାସତ୍ୱେ ଶିବରାମଙ୍କୁ ସଠିକ ତଥ୍ୟ ମିଳିନଥିବା ଅଭିଯୋଗ କରି ରାଜ୍ୟ ସୂଚନା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ରାଜ୍ୟ ସୂଚନା କମିଶନଙ୍କ ନିକଟରେ 906/2019 ରେ ଏକ ମାମଲା ରୁଜୁ ହୋଇଥିଲା। ତେବେ ଦୀର୍ଘ ୩ବର୍ଷ ପରେ ଏହି ମାମଲାରେ ଉଭୟ ପକ୍ଷଙ୍କ ସମସ୍ତ ଯୁକ୍ତିର ଶୁଣାଣି କରି ବିଭ୍ରାନ୍ତକର ତଥ୍ୟଦେବା ଅଭିଯୋଗରେ ରାଜ୍ୟ ସୂଚନା କମିଶନର ବି. କେ ମହାପାତ୍ର ନୂଆଗାଁ ବ୍ଲକରେ କାର୍ଯ୍ୟରତ ଜନସୂଚନା ଅଧିକାରୀ ମଳୟ ରଂଜନ ଚିନାରାଙ୍କୁ ୮ ହଜାର ଟଙ୍କାର ଆର୍ଥିକ ଦଣ୍ଡା ଦେଶ ଶୁଣାଇବା ସହ ଆଗାମୀ ଏକ ମାସ ମଧ୍ୟରେ ଏହି ଅର୍ଥରାଶି ଜମା ନକଲେ ୨ମାସର ଦରମାରୁ ଅଗ୍ରିମ ଭାବେ ଏହି ଅର୍ଥ ରାଶିକୁ ସରକାରୀ ତହବିଲରେ ଜମା କରିବାକୁ ନିର୍ଦେଷ ଦେଇଛନ୍ତି।

ସେପଟେ ମନେରେଗାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ବକେୟା ଟଙ୍କା ନଦେବା ଓ ସରକାରୀ ତଥ୍ୟ ହଜାଇବା ନେଇ ସର୍ଭିସ ରୁଲ ଅନୁସାରେ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ଇଂ. ବସନ୍ତ ସାହୁଙ୍କ ନାମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନୂଆଗାଁ ବିଡ଼ିଓଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସୂଚନା କମିଶନର। ତେବେ ଆବେଦନକାରି ନିଜେ ଆଇନଜୀବୀ ଶିବରାମ ମହାପାତ୍ର ଏହି ମାମଲା ପରିଚାଳନା କରିଥିବା ବେଳେ ମାନ୍ୟବର ସୂଚନା କମିଶନଙ୍କ ଏହି ରାୟକୁ ଆବେଦନକାରି ସ୍ୱାଗତ କରିଛନ୍ତି।

Related posts