ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଳ୍ଲା ଫାଷ୍ଟ ଟ୍ରାକ ପୋକ୍ସ କୋର୍ଟର ବିଚାରପତି ବିରଞ୍ଚି କୁମାର ରଥ ଏକ ୫ବର୍ଷର ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଅଭିଯୋଗର ବିଚାର କରି ଆସାମୀ ପ୍ରମୋଦ ଦେହୁରୀକୁ ୫ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ମାମଲା ପରିଚାଳନା କରୁଥିବା ସ୍ୱତନ୍ତ୍ର ସରକାରୀ ଓକିଲ ଅମୀୟ ପଟ୍ଟନାୟକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪.୪.୨୦୧୮ରେ ଫତେଗଡ଼ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ କେଶ ନଂ-୮୫/୧୮ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା।
ଫତେଗଡ଼ ଥାନା ଅଞ୍ଚଳରେ ଜନୈକ ୫ବର୍ଷର ନାବାଳିକା ଦିନ ଦ୍ୱିପ୍ରହରେ ଗାଁ ଦାଣ୍ଡରେ ତାଙ୍କ ସାଥି ମାନଙ୍କ ସହିତ ଖେଳୁଥିବା ବେଳେ ଆସାମୀ ପ୍ରମୋଦ ତାକୁ ଚକୋଲେଟ ଓ ମିକ୍ଚର କିଣିବା ପାଇଁ ଟଙ୍କା ଦେଇ ପାଖ ଦୋକାନକୁ ପଠାଇଥିଲା । ତେବେ ଦୋକାନ ବନ୍ଦ ଥିବା ଆସି ଝିଅଟି କହିବା ପରେ ତାକୁ ଜୋର ଜବରଦସ୍ତ ଏକ ପାଖ ଘରକୁ ଟେକି ନେଇ ବଳତ୍କାର ଉଦ୍ୟମ କରିଥିଲା । ଝିଅଟି ଏଥିରେ ଭୟଭୀତ ହୋଇ ଜୋରରେ କାନ୍ଦି ପାଟି କରିବାରୁ ପାଖ ସାହିପଡ଼ିଶା ଆସି ଘରର କବାଟ ଭାଙ୍ଗି ଝିଅଟିକୁ ଉଦ୍ଧାର କରିଥିଲେ।
ପରେ ପରେ ଘଟଣା ପ୍ରଚାରିତ ହେବା ପରେ ଗ୍ରାମ୍ୟ କମିଟିରେ ବିଚାର ପାଇଁ ସଭା ବସିଥିଲା । ତେବେ ଏଥିରେ କିଛି ସୁଫଳ ନମିଳିବାରୁ ଝିଅଟିର ପିତା ବାଧ୍ୟ ହୋଇ ନିକଟସ୍ଥ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲା । ଗତ ବର୍ଷ ମାମଲାଟି ଫାଷ୍ଟଟ୍ରାକ କୋର୍ଟକୁ ସ୍ଥାନାନ୍ତରିତ ହୋଇ ବିଚାର ପ୍ରକ୍ରିୟା ଚାଲିଥିଲା । ୧୮ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ, ପ୍ରତିପକ୍ଷ ଓକିଲ ଏବଂ ସରକାରୀ ଓକିଲଙ୍କ ଯୁକ୍ତି ଏବଂ ଜବାବ ସୁଆଲର ବିଚାର କରି ବିଚାରପତି ଏହି ରାୟ ଶୁଣାଇଛନ୍ତି ।