5T ବିଦ୍ୟାଳୟରେ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଦିନକୁ ଦିନ ଦୃତ ଜନସଂଖ୍ୟା ବୃଦ୍ଧି, ଜୀବନ ଶୈଳୀର ପରିବର୍ତ୍ତନ, ଅଜ୍ଞତା ତଥା ବିପଥଗାମୀ ମନୁଷ୍ୟର କାର୍ଯ୍ୟକଳାପ ହେତୁ ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଭଳି ପରିବେଶ ପ୍ରଦୂଷଣ ଜନିତ ସମସ୍ୟାମାନ ଜୀବଜଗତ ପାଇଁ ଆହ୍ବାନ ରୂପେ ଠିଆ ହୋଇଛି। ପ୍ରତିକାର ସ୍ବରୂପ ଜନସଚେତନତା ବୃଦ୍ଧି ସହ ଜଙ୍ଗଲ ପାହାଡର ସୁରକ୍ଷା ଏବଂ ବ୍ୟାପକ ବୃକ୍ଷ ରୋପଣ ଏକାନ୍ତ ଜରୁରୀ ହୋଇପଡ଼ିଛି। ଏ ବିଚାରକୁ ଆଖି ଆଗରେ ରଖି ଆଜି ରୋହିବାଙ୍କ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ଇକୋ କ୍ଲବ ଏବଂ ଜୁନିଅର ରେଡକ୍ରସ୍ ସହଯୋଗ କ୍ରମେ ପ୍ରଧାନ ଶିକ୍ଷୟିତ୍ରୀ ସଂଧ୍ୟା ରାଣୀ ଦାସଙ୍କ ପୌରହିତ୍ୟରେ ବୃକ୍ଷ ରୋପଣ ଓ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।

ଏହି ଅବସରରେ ଅତିଥି ରୂପେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଆଶିଷ କୁମାର କହଁର, ଅରୋମୀରା ଟ୍ରଷ୍ଟ, କୁରାଳ, ପରିଚାଳକ ତଥା ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ସୁକାନ୍ତ ଚୌଧୁରୀ, ସ୍ଥାନୀୟ ସରପଞ୍ଚ ମହନ୍ତ ବେହେରା, ସାମାଜିକ କର୍ମୀ ବିକ୍ରମ କୁମାର ନାୟକ, ସିଆର୍ସିସି ସନ୍ତୋଷ କୁମାର ସାହୁଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ଓ ମାତା ଶିକ୍ଷକ ସଂଘର ସଭ୍ୟ ସଭ୍ୟାମାନେ ଯୋଗଦେଇ ବୃକ୍ଷରୋପଣ ସହ ଛାତ୍ରଛାତ୍ରୀମାନଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ଅରୋମୀରା ଟ୍ରଷ୍ଟ ତରଫରୁ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ସମ୍ମାନାର୍ଥେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ତତ୍ ସହିତ ବିଦ୍ୟାଳୟର ଦୁଇ ଜଣ ଉତ୍ତମ ସ୍ବେଚ୍ଛାସେବୀଙ୍କୁ ଟ୍ରଷ୍ଟ ତରଫରୁ ପ୍ରଶଂସା ପତ୍ର ସହ ଟ୍ରଫି ଓ ବୃକ୍ଷ ଚାରା ଦେଇ ସମ୍ମାନିତ କରାଯାଇଥିଲା। ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବିଦ୍ୟାଳୟ ତରଫରୁ ହୋଇଥିବା ବତ୍କୃତା, କୁଇଜ୍, ଚିତ୍ର ରଙ୍ଗ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀମାନଙ୍କୁ ଅତିଥି ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପୁରସ୍କୃତ କରିଥିଲେ। ଶିକ୍ଷକ ରାଧାଗୋବିନ୍ଦ ନାୟକଙ୍କ ସଂଯୋଜନା ତଥା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କ ସକ୍ରିୟ ସହଯୋଗରେ ସମସ୍ତ କାର୍ଯ୍ୟ ସୂଚାରୁରୂପେ ସମ୍ପାଦିତ ହୋଇଥିଲା।

ସଜାଗ ହୋଇଲେ ଆଜିର ପିଢ଼ି, ଆସିବନି ଆଉ ବାତ୍ୟା ମରୁଡି

Related posts