ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସାମ୍ପ୍ରତିକ ସମୟରେ ପରିବେଶର ଅବକ୍ଷୟ ଜୀବ ଜଗତ ପାଇଁ ଏକ ଆହ୍ୱାନ ରୂପେ ଠିଆ ହୋଇଅଛି। ପ୍ରତିକାର ସ୍ବରୂପ ଜନ ସଚେତନତା ବୃଦ୍ଧି ସହ ବଣ ପାହାଡର ସୁରକ୍ଷା ସହିତ ବ୍ୟାପକ ବୃକ୍ଷ ରୋପଣ ଏକାନ୍ତ ଜରୁରୀ ହୋଇପଡ଼ିଛି। ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ପରି ଉଭୟ ବନ କର୍ମଚାରୀ ଓ ପରିବେଶ ପ୍ରେମୀମାନଙ୍କ ଉତ୍ତମ ବୁଝାମଣା ଓ ସହଯୋଗରେ ପରିବେଶ ସୁରକ୍ଷା ଜନିତ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥାଏ। ବନ ମହୋତ୍ସବ ସପ୍ତାହ ଉଭୟଙ୍କ ମଧ୍ୟରେ ସମ୍ପର୍କର ସେତୁ ପରି କାର୍ଯ୍ୟ କରିଥାଏ। ଏ ଦିଗରେ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କୁରାଳ ସ୍ଥିତ ଅରୋମୀରା ଟ୍ରଷ୍ଟର ଭୂମିକା ପ୍ରଶଂସନୀୟ। ଟ୍ରଷ୍ଟ ତରଫରୁ ବଣ ଜଙ୍ଗଲର ସୁରକ୍ଷାରେ ସହାୟତା କରିବା ସହିତ ବୃକ୍ଷ ରୋପଣ, ଚାରା ବଣ୍ଟନ, ଜନ ସଚେତନତା ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ନିୟମିତ କରିବା ସହିତ ଉତ୍ସର୍ଗୀକୃତ ବନ କର୍ମଚାରୀ ଓ ସ୍ବେଚ୍ଛାସେବୀମାନଙ୍କୁ ବନ ମହୋତ୍ସବ ସପ୍ତାହରେ ସମ୍ବର୍ଦ୍ଧିତ କରି ଆସୁଅଛି। ଆଜି ଟ୍ରଷ୍ଟର ପରିଚାଳକ ତଥା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ ବାହାଡାଝୋଲା ସ୍ଥିତ ବନପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରି ବନପାଳ ସନାତନ ସ୍ବାଇଁ, ବନରକ୍ଷୀ ଧରଣୀଧର ନାୟକ, ରୀନା ରାଣୀ ସେଠୀ, ସୁନିଲ କୁମାର ନାୟକ, ବଧୁଲିପୁର ବନ ସୁରକ୍ଷା ସମିତିର ସଭାପତି ବିରଞ୍ଚି ନାରାୟଣ ବେହେରା ଓ ଝାଡସାହି ବନ ସୁରକ୍ଷା ସମିତିର ସଭାପତି ଯୁଧିଷ୍ଠିର ନାୟକ ତଥା ସ୍କ୍ୱାର୍ଡ କର୍ମଚାରୀ ଓ ଜଗୁଆଳୀମାନଙ୍କୁ ସମ୍ବର୍ଦ୍ଧିତ କରି ପରିବେଶ ସୁରକ୍ଷା ଦିଗରେ ସହଯୋଗ ଲୋଡିଛନ୍ତି। ବିଦାୟୀ ବନରକ୍ଷୀ ଧରଣୀଧର ନାୟକଙ୍କ ଉଦ୍ଦେଶ୍ୟରେ ଗୋଟିଏ ଫଳଚାରା ରୋପଣ କରି ତାଙ୍କ ବନସେବା ପାଇଁ ସମ୍ମାନ ଜଣାଇଛନ୍ତି।ପରିବେଶ ପ୍ରେମୀଙ୍କ ବନ କର୍ମଚାରୀଙ୍କ ପ୍ରତି ଏ ନିଆରା ମନୋଭାବ ସାଧାରଣରେ ପ୍ରଶଂସା କରାଯାଇଛି।

