ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ସୃଜନ ଠାରେ ଶିକ୍ଷା ଷ୍ଟାଣ୍ଡିଂ କମିଟି ନଂ-୭ର ଏକ ବୈଠକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମେଶ୍ଵର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଥମେ 5T ଅଧିନରେ ନବୀକରଣ ହେଉଥିବା ବିଦ୍ୟାଳୟ ଉପରେ ସମୀକ୍ଷା କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଶ୍ରୀ ଅକ୍ରୂର ବାରିକ କହିଥିଲେ ଯେ, ଆମ ଜିଲ୍ଲାରେ 5T ପ୍ରକଳ୍ପ ଅଧୀନରେ ୨୨୦ଟି ବିଦ୍ୟାଳୟକୁ ନବୀକରଣ କରାଯିବାକୁ ଥିବା ବେଳେ ସେଥି ମଧ୍ୟରୁ ପ୍ରଥମ ଦଫାରେ ୮ଗୋଟି, ଦ୍ବିତୀୟ ଦଫାରେ ୮୪ ଗୋଟି ସ୍କୁଲ ମଧ୍ୟରୁ ୬୦ଗୋଟି ସ୍କୁଲକୁ ଗତ ଜୁନ ମାସ ୮ତାରିଖରେ ଲୋକାର୍ପଣ କରାଯାଇଛି । ଦ୍ଵିତୀୟ ଦଫାର ଆଉ ୨୪ଗୋଟି ବିଦ୍ୟାଳୟର ନବୀକରଣ କାର୍ଯ୍ୟ ଚାଲୁରହିଛି । ଅବଶିଷ୍ଟ ୧୨୮ଗୋଟି ବିଦ୍ୟାଳୟକୁ ତୃତୀୟ ଦଫାରେ ହେବା କଥା ସେ ପ୍ରକାଶ କରିଥିଲେ । ଏହାପରେ ଅଧ୍ୟକ୍ଷ ଶ୍ରୀ ଶତପଥ ଜାତୀୟ ଗ୍ରାମାଂଚଳ ମେଧା ବୃତି, ଓଡ଼ିଆ ଭାଷା ବୃତି ଉପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରି ବୁଝିଥିଲେ । ପ୍ରତ୍ୟେକ ବିଦ୍ୟାଳୟକୁ ଗ୍ରନ୍ଥାଗାର ଅନୁଦାନ, ଖେଳ ଅନୁଦାନ ଇକୋ କ୍ଲବ ଅନୁଦାନ ଏବଂ କିଚେନ୍ ଗର୍ଡେନ୍ ଅନୁଦାନ ଦିଆ ଯାଉଥିବାର ଜିଲ୍ଲା ଶିକ୍ଷା ଅଧ୍ୟାକାରୀ ପ୍ରକାଶ କରିଥିଲେ । ମଧ୍ୟାହ୍ନ ଭୋଜନ ଖଣ୍ଡପଡ଼ା ଓ ଭାପୁର ଅକ୍ଷୟପାତ୍ର ଅନୁଷ୍ଠାନ, ନୟାଗଡ ପୌର ପରିଷଦ ତଥା ନୟାଗଡ଼ ବ୍ଲକରେ ପିପୁଲସ ଫୋରମ ପକ୍ଷରୁ ଯୋଗାଇ ଦିଆଯାଉଥିବା ବେଳେ ଅବଶିଷ୍ଟ ବ୍ଲକରେ SHG ଗ୍ରୁପ ଏବଂ ସ୍କୁଲ କମିଟିମାନଙ୍କ ଦ୍ବାରା ଦିଆଯାଉଅଛି । ଗତ ଆର୍ଥିକ ୩ବର୍ଷରେ ଉପରୋକ୍ତ ବିଦ୍ୟାଳୟମାନଙ୍କୁ ପ୍ରଦାନ କରାଯାଇଥିବା ଅନୁଦାନର ବିସ୍ତୃତ ବିବରଣୀ ଆସନ୍ତା ୭ଦିନ ମଧ୍ୟରେ ଗୃହକୁ ଜଣାଇବା ପାଇଁ ଅଧ୍ୟକ୍ଷ ଶ୍ରୀ ଶତପଥି ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ଜିଲ୍ଲାରେ ଚାଲିଥିବା ଏକମାତ୍ର ସ୍ପୋର୍ଟସ ହଷ୍ଟେଲରେ ୩୦ଜଣ ଅନ୍ତେବାସୀ ରହିବାର ବ୍ୟବସ୍ଥା ଅଛି ବୋଲି ପ୍ରକାଶ କରିଥିଲେ । ଏହି ଅନ୍ତେବାସୀମାନଙ୍କୁ କେବଳ ଫୁଟବଲ ଉପରେ ତାଲିମ ପ୍ରଦାନ କରାଯାଏ । ଚଳିତ ବର୍ଷ ହଷ୍ଟେଲ ପାଇଁ ନୂତନ ପିଲା ଗ୍ରହଣ ନିମନ୍ତେ
୨୨୮୦ଟି ଦରଖାସ୍ତ ଗ୍ରହଣ କରାଯାଇଛି । ଜିଲ୍ଲାର ସମସ୍ତ ବିଜ୍ଞାପିତ ଅଂଚଳ ପରିଷଦ ଏବଂ ନୟାଗଡ଼ ପୌର ପରିଷଦରେ ଇନଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଚାଲୁରହିଛି ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରକାଶ କରିଥିଲେ । ଜିଲ୍ଲାସମାଜ ମଙ୍ଗଳ ଅଧିକାରୀ ଜିଲ୍ଲାରେ ଚାଲିଥିବା ICDS ପ୍ରକଳ୍ପ ଗୁଡ଼ିକ ଉପରେ କହିଲେ ଯେ, ଜିଲ୍ଲାର ସମସ୍ତ ବ୍ଲକରେ ୮ଟି ICDS ପ୍ରକଳ୍ପ ଅଛି । ପ୍ରତ୍ୟେକ ପ୍ରକଳ୍ପ ପାଇଁ ଜଣେ ଜଣେ CDPO ଦାୟିତ୍ବରେ ରହିବାକୁ ଥିବା ବେଳେ ରଣପୁର ବ୍ଲକ ଖାଲି ଅଛି । ୮ଟି ICDS ପ୍ରକଳ୍ପରେ ୪୮ ଜଣ ସୁପର ଭାଇଜର କାର୍ଯ୍ୟ କରୁଛନ୍ତି । ଜିଲ୍ଲାରେ ଥିବା ୧୫୪୪ଟି ଅଙ୍ଗନବାଡ଼ି କେନ୍ଦ୍ରକୁ CDPO ଓ ସୁପରଭାଇଜରମାନେ ତଦାରଖ କରିଥାନ୍ତି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପ୍ରକଳ୍ପ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଷ୍ଟାଣ୍ଡିଂ କମିଟି ସଭ୍ୟା ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ଶ୍ରୀମତୀ ରଜନୀରାଣୀ ପଟ୍ଟନାୟକ, ସଭ୍ୟ ଶ୍ରୀ ହରିଶ ଚନ୍ଦ୍ର ଜାନୀ, ଶ୍ରୀ ବିଜୟ କୁମାର ସାମନ୍ତରାୟ, କୋ-ଅପଟେଡ୍ ସଭ୍ୟ ଶ୍ରୀ ଭରତ କୁମାର ବେହେରା, ଶ୍ରୀ ନିତ୍ୟାନନ୍ଦ ପ୍ରଧାନ, ସଭ୍ୟା ଶ୍ରୀମତୀ ଅରୁଣା ନାୟକ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ବିଭାଗ ଅଧିକାରୀ, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ଅକ୍ଷୟପାତ୍ର ଫାଉଣ୍ଡେସନର କର୍ମକର୍ତ୍ତା, ପିପୁଲସ ଫୋରମର କର୍ମକର୍ତ୍ତା ପ୍ରମୁଖ ଉକ୍ତ ବୈଠକରେ ଯୋଗଦାନ କରିଥିଲେ । ସର୍ବଶେଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମସ୍ତେ ସହଯୋଗ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଶିକ୍ଷା ଷ୍ଟାଣ୍ଡିଂ କମିଟିର ସମୀକ୍ଷା ବୈଠକ
