ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟସ୍ଥ ହାଉସିଂ ବୋର୍ଡ କଲୋନି ନିକଟରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡିଶାର ନୟାଗଡ଼ ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି। ସଂସ୍ଥାନର ନୟାଗଡ଼ ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ ଗତକାଲି ନୟାଗଡ଼ ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। କରୋନାର ଦୁଇ ବର୍ଷ ତାଡନା ପରେ ବିଦ୍ଯାଳୟ ଖୋଲିଲା। ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟକୁ ଆସି ପ୍ରତ୍ଯେକ୍ଷ ଭାବେ ଶ୍ରେଣୀ ଶିକ୍ଷାଦାନ ପାଇଲେ।ଆୟୋଜିତ ଏହି ପ୍ରଶିକ୍ଷଣ ଶିବିର ନିଶ୍ଚିତ ଭାବେ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ କିଛି ନୂଆ ଦିଶା ଦେଖାଇବ ବୋଲି ମୁଖ୍ଯ ଅତିଥି କହିବା ସହିତ ଗୁରୁଜୀ ଗୁରୁମା ମାନେ ଯୁଗ ନିର୍ମାତା ହେଲାବେଳେ ଛାତ୍ରଛାତ୍ରୀ ମାନେ ହେଉଛନ୍ତି ରାଷ୍ଟ୍ରର ଭାଗ୍ଯ ବିଧାତା ବୋଲି ବକ୍ତବ୍ଯ ରଖିଥିଲେ।


ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ,ଓଡିଶାର ମହାସଚିବ ଡାକ୍ତର କରୁଣାକର ପ୍ରଧାନ, ପ୍ରାଦେଶିକ କାର୍ଯ୍ଯକର୍ତ୍ତୀ ଆଲୋକପ୍ରଭା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲାବେଳେ ତିରୁପତି ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରଫେସର ସତ୍ଯ ନାରାୟଣ ଆଚାର୍ଯ୍ୟ,ସଂସ୍ଥାନର ପ୍ରାଦେଶିକ ପରୀକ୍ଷା ପ୍ରମୁଖ ତଥା ନୟାଗଡ଼ ଜିଲ୍ଲା ପ୍ରଭାରୀ ଲକ୍ଷ୍ମୀଧର ଆଚାର୍ଯ୍ୟ, ପ୍ରାଦେଶିକ ବନ୍ଦନା ପ୍ରମୁଖ ଦିଲ୍ଲୀପ କୁମାର ମଲ୍ଲିକ,ପୂର୍ବ ପ୍ରାଥମିକ ପ୍ରଶିକ୍ଷକ ପ୍ରଦୀପ କୁମାର ସାହୁ, ସୁନିତା ସାହୁ, ଅନ୍ନପୂର୍ଣ୍ନା ସାହୁ ଓ ରୋଜିତା ପଟ୍ଟନାୟକ, ରାମଚନ୍ଦ୍ର ମହାପାତ୍ର ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲାବେଳେ ଜିଲ୍ଲା ସ୍ତରୀୟ କାର୍ଯ୍ଯକର୍ତ୍ତା ବିଷ୍ଣୁ ପ୍ରସାଦ ତ୍ରିପାଠୀ, ଅବିନାଶ ସାହୁ, ରାଜେନ୍ଦ୍ର କୁମାର ସାହୁ, ଲିପିକା ନାୟକ, ମନୋରଜଂନ ସାହୁ, ବିରେନ୍ଦ୍ର ନାଥ ନାୟକ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏତଦ୍ ବ୍ଯତୀତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପ୍ରିୟମ୍ବଦା ଗୁରୁମା, ଶୋଭା ଗୁରୁମା, ବିନୋଦିନୀ ଗୁରୁମା, ପୁଷ୍ପିତା ଗୁରୁମା, ପ୍ରକାଶ ଗୁରୁଜୀ ଆଦି ସମସ୍ତ ଗୁରୁଜୀ ଗୁରୁମା ମାନଙ୍କର ଅକ୍ଳାନ୍ତ ପରିଶ୍ରମ ରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଏହି ଶିବରରେ ନୟାଗଡ଼ ଜିଲ୍ଲା ର ୩୫ ଟି ବିଦ୍ଯାଳୟ ର ୮୦ ଜଣ ଗୁରୁଜୀ ଗୁରୁମା ଯୋଗଦେଇ ବୈଦିକ ଗଣିତ, ମାନସାଙ୍କ, ଇଂରାଜୀ, ଶାରୀରିକ ଶିକ୍ଷା, ଯୋଗ ଶିକ୍ଷା ଓ ପୂର୍ବ ପ୍ରାଥମିକ ଶ୍ରେଣୀ ପାଇଁ ଗୀତ ନାଚ ଓ ଅକ୍ଷର ଲିଖନ ଆଦି ବିଷୟ ରେ ପ୍ରଶିକ୍ଷଣ ନେଇଥିଲେ।ପରିଶେଷରେ ନୟାଗଡ଼ ଜିଲ୍ଲା ସଂଯୋଜକ ମନୋରଂଜନ ପଣ୍ଡା ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

Related posts