“ପାରିଆପଣେ ପାଣ୍ଡିଆ” ଲୋକାର୍ପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ବିଶିଷ୍ଟ ଲେଖକ ବିଶ୍ୱନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ‘ପାରିଆପଣେ ପାଣ୍ଡିଆ’ ଆଜି ନୟାଗଡ଼ ରୋଟାରୀ ଭବନଠାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡ଼.ହୃଷିକେଶ ମଲ୍ଲିକଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସାରସ୍ୱତ ପ୍ରେମୀ ଯୋଗ ଦେଇଥିଲେ। ରଂଜୁବାଳା ପ୍ରକାଶନୀର ମୁଖ୍ୟ ଶରତଚନ୍ଦ୍ର ବେହେରା ସ୍ୱାଗତ ଅଭିଭାଷଣ ରଖିଥିଲେ । ପ୍ରାକ୍ତନ ଶିକ୍ଷକ ଅଲେଖ ବେହେରା ଓ ପାଣ୍ଡବ ପ୍ରଧାନଙ୍କ ଦ୍ୱାରା ପୁସ୍ତକ ଉତ୍ସର୍ଗ ହୋଇଥିବା ସ୍ୱର୍ଗତ ବିଚ୍ଛେଦ ମହାପାତ୍ରଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶିକ୍ଷାବିତ ପ୍ରଫୁଲ୍ଲ କୁମାର ମହାନ୍ତି, ଗାଳ୍ପିକ ତପନ ମହାପାତ୍ର ଓ ସଙ୍ଗୀତକାର ଶରତ କୁମାର ସାହୁଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ପୁସ୍ତକର ଲୋକାର୍ପଣ ଅବସରରେ ସମୀକ୍ଷକ ଭାବେ ଅଧ୍ୟାପକ ଡ.ଆଶୁତୋଷ ମିଶ୍ର ପୁସ୍ତକର ବିଭିନ୍ନ ସୃଜନଶୀଳ, ଯୁଗଧର୍ମା, ସକରାତ୍ମକ ଦିଗ ଉପରେ ଆଲୋଚନା ରଖି ଏହା ଏକ ମହନୀୟ ସୃଷ୍ଟି ବୋଲି ମତବ୍ୟକ୍ତ କରିଥିଲେ । ବମ୍ମାନିତ ବକ୍ତାଭାବେରେ ‘ସାମ୍ୟବାଦୀ’ର ପ୍ରାକ୍ତନ ସଂପାଦକ ସନ୍ତୋଷ ଦାସ ଓ ପ୍ରାକ୍ତନ ସଂସଦ ରବିନାରାୟଣ ମହାପାତ୍ର ଲେଖକଙ୍କର କ୍ରାନ୍ତିକାରୀ ସାରସ୍ୱତ ସୃଷ୍ଟି ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ନାଟ୍ୟରୁପଣ ଡ.ବିଜୟ କୁମାର ଚୌଧୁରୀ ଶ୍ରୀ ମହାପାତ୍ରଙ୍କ ଧାରାବାସିକ ନିଆରା ସ୍ୱାଦର ରଚନା ଗୁଡ଼ିକ ଉପରେ ଆଲୋଚନା ରଖିଥିଲେ । ମୁଖ୍ୟ ଅତିଥି ଓ ହୃଷିକେଶ ମଲ୍ଲିକ ଲେଖକଙ୍କର ଏହି ପୁସ୍ତକର ଜୀବନ୍ତ ବର୍ଣ୍ଣନାଶୈଳୀ, ଚରିତ୍ର ମାନଙ୍କର ବାସ୍ତବ ରୂପାୟନ ଓ ସାଧାରଣ ମଣିଷର ନିଛକ ଜୀବନ ଚିତ୍ରକୁ ଭୂୟସୀ ପ୍ରଶଂସା କରିଥିଲେ । ଅଧ୍ୟାପିକା ବିଦୁଲତା ଷଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ ଓ ଶିକ୍ଷାବିତ ଅଶୋକ ମଲ୍ଲ ସଂଯୋଜନା କରିଥିଲେ । ଶିକ୍ଷକ ଭଗବାନ ସାହୁଙ୍କ ହସ୍ତରେ ପୁସ୍ତକଟି ସର୍ବାଗ୍ରେ ଅର୍ପିତ ହୋଇଥିଲା । ଅଧୁମତନ ସମାଜରେ ଘଟୁଥିବା ଅସାମାଜିକ ବିକଳ୍ପ ଚିତ୍ରଠୁ ଆରମ୍ଭ କରି କରୋନା କାଳର ଦୁର୍ବିସହ ଯନ୍ତ୍ରଣା ପର୍ଯ୍ୟନ୍ତ ପ୍ରତିଫଳିତ କରିଥିବା ଏହି ଉପନ୍ୟାସ ବେଶ ପାଠକୀୟ ଆଦୃତି ବହନ କରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

Related posts