ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ନୋତର, ମାଳିସାହି ନିକଟ ପାହାଡ଼ ମଧ୍ୟ ଭାଗରେ ରହୁଥିବା କିଛି ଜନଜାତି ସମ୍ପ୍ରଦାୟର କୁନିକୁନି ପିଲା ଓ ମହିଳାମାନଙ୍କୁ ପୋଷାକ ବିତରଣ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ନୋତର ନିକଟରେ ରହୁଥିବା କିଛି ପରିବାରକୁ ପୋଷାକ ବିତରଣ ପରେ ସେମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ କରାଯାଇଥିଲା। ଖାଇବା ପୂର୍ବରୁ ସାବୁନରେ ହାତ ଧୋଇବା, ନିୟମିତ ନଖ, ଚୁଟି କାଟିବା ସହ ସଫା ପୋଷାକ ପିନ୍ଧିବା ଓ ସଫା ବାସନରେ ଖାଇବା ଆଦି ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନେ ସେମାନଙ୍କୁ ବୁଝାଇଥିଲେ। ଏହି ପରିବାରର ସଦସ୍ୟମାନଙ୍କ ପାଇଁ ପକ୍କା ଘର ସାତ ସ୍ୱପ୍ନ ତେଣୁ ସେମାନେ ପାଇଖାନାର ବ୍ୟବହାର ମଧ୍ୟ ଜାଣି ନାହାନ୍ତି। ତେଣୁ ପରିବାର ସମସ୍ତ ସଦସ୍ୟମାନେ ଏଣେତେଣେ ଝାଡ଼ା ନ ଫେରି କିଭଳି ଏକ ଗାତ ଖୋଳି ସେଠାରେ ସ୍ନାନ ଶୌଚ କରିବେ ସେ ଉପରେ ବୁଝାଗଲା। ଜଙ୍ଗଲ ମଧ୍ୟରେ ପାନୀୟ ଜଳର ସୁବିଧା ନଥିବାରୁ ଝରଣା ପାଣି ଗରମ କରି ଫୁଟାଇ ପିଇବାକୁ ସଚେତନ କରାଗଲା। ପରେ ମାଳିସାହି ନିକଟରେ ରହୁଥିବା କିଛି ପରିବାରକୁ ସଚେତନତା କରାଯିବା ସହ ପୋଷାକ ବଣ୍ଟନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ସନ୍ତୋଷ, ଦେବାଶିଷ, ଉମେଶ, ଆଶୁତୋଷ ପ୍ରମୁଖ ଉପସ୍ଥିତ ଥିଲେ।
ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ସଚେତନତା ଓ ପୋଷାକ ବଣ୍ଟନ
