ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଜ୍ଞାପିତ ଅଂଚଳ ପରିଷଦ ଓ ପୌର ପରିଷଦରେ ମତଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ପୌର ନିର୍ବାଚନ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ନୟାଗଡ଼ ପୌର ପରିଷଦ ସହ ଖଣ୍ଡପଡ଼ା, ରଣପୁର ଓ ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାଚନ ଶେଷ ହୋଇଯାଇଛି । ଏହି ମତଦାନ ସକାଳ ୭ଘଟିକା ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଘଟିକାରେ ସମାପ୍ତ ହୋଇଛି । ଏହି ନିର୍ବାଚନରେ ମତଦାନ ଇଭିଏମ ମେସିନ ଜରିଆରେ ହୋଇଅଛି।

ନୟାଗଡ ପୌର ପାଳିକାରେ ୬୨.୨୫ପ୍ରତିଶତ ମତଦାନ ହୋଇଥିବା ସ୍ଥଳେ ଖଣ୍ଡପଡ଼ାରେ ୭୫.୩୯, ଦଶପଲ୍ଲାରେ ୭୫ ଏବଂ ରଣପୁରରେ ୭୩.୭୦ପ୍ରତିଶତ ମତଦାନ ହୋଇଛି । ମତଦାନ ସମାପ୍ତ ପରେ ନୟାଗଡ଼ ପୌର ପାଳିକା ପାଇଁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ, ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦ ପାଇଁ ଦଶପଲ୍ଲା ବ୍ଲକ ପରିସରରେ, ଖଣ୍ଡପଡ଼ା ବିଜ୍ଞାପିତ ଅଂଚଳ ପରିଷଦ ପାଇଁ ପଠାଣି ସାମନ୍ତ କଲ୍ୟାଣ ମଣ୍ଡପ ଏବଂ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ପାଇଁ ବି.ବି. ଉଚ୍ଚ ବିଦ୍ୟାଳୟ ପରିସରରେ ଗଠନ କରାଯାଇଥିବା ଷ୍ଟ୍ରଙ୍ଗ୍ ରୁମରେ ଇଭିଏମ ବାକ୍ସଗୁଡ଼ିକୁ କଡ଼ା ସୁରକ୍ଷାରେ ଆସନ୍ତା ୨୬ତାରିଖ ଭୋଟ ଗଣତି ପର୍ଯ୍ୟନ୍ତ ୨୪ଘଂଟା ପୋଲିସ ଏବଂ ସିସି ଟିଭିର କଡ଼ା ସୁରକ୍ଷାରେ ରଖାଯାଇଛି ।

ଏହି ମତଦାନ ଜିଲ୍ଲାପାଳ ଡା. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଦାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ ଏବଂ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ଲଗ୍ନଜିତ ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି । ଜିଲ୍ଲାପାଳ ଡା. ଟୁଡୁ ସମସ୍ତ ନିର୍ବାଚନ ଅଧିକାରୀ, ନିର୍ବାଚନରେ ସଂପୃକ୍ତ କର୍ମଚାରୀ ସର୍ବୋପରି ନୟାଗଡ଼ ସହରାଂଚଳର ସମସ୍ତ ଜନସାଧାରଣଙ୍କୁ ସାଧୁବାଦ ଜଣାଇଛନ୍ତି ।

Related posts