ସାମନ୍ତ ଚନ୍ଦ୍ରଶେଖର ବା ପଠାଣି ସାମନ୍ତ ଉତ୍କଳ ଜନନୀଙ୍କର ସର୍ବଶ୍ରେଷ୍ଠ ତଥା ଯୋଗ୍ୟତମ ସନ୍ତାନ ଅଟନ୍ତି । ୧୮୩୫ଖ୍ରୀ.ଅ.ରେ ପୌଷ କୃଷ୍ଣାଷ୍ଟମୀ ଦିନ ଖଣ୍ଡପଡ଼ାଗଡ଼ର ସାମନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସେ । ଏହି ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀଙ୍କ ଦୀର୍ଘ ଦୁଇ ଦଶନ୍ଧିର ଉତ୍ସର୍ଗୀକୃତ ସାଧନାର ସର୍ବଶ୍ରେଷ୍ଠ କୃତି ହେଉଛି ‘ସିଦ୍ଧାନ୍ତଦର୍ପଣ’ ଗ୍ରନ୍ଥ, ଯାହା ମୂଳତଃ ସଂସ୍କୃତ ଭାଷାରେ ଲେଖାଯାଇଛି । ଏହି ଗ୍ରନ୍ଥରେ ସର୍ବମୋଟ୍ ୨୫୦୦ଟି ଶ୍ଳୋକ ରହିଛି ଓ ଏଥିରେ ଜ୍ୟୋତିଷଶାସ୍ତ୍ର, ଭୂଗୋଳ, ଖଗୋଳ, ଭୂପ୍ରମାଣବାଦ, ଭୂସ୍ଥିରତାବାଦ, ଗ୍ରହସ୍ଫୁଟ, ଚନ୍ଦ୍ରସୂର୍ଯ୍ୟଙ୍କ ଗତି, ଅୟନାନ୍ତ, ଆଦି ବହୁ ବିଷୟରେ ଆଲୋଚନା ରହିଛି । ଏହିଗ୍ରନ୍ଥ ପ୍ରକୃତରେ ଜ୍ୟୋତିର୍ବିଜ୍ଞାନ, ଜ୍ୟୋତିଷ ଶାସ୍ତ୍ର, ସଂସ୍କୃତ ସାହିତ୍ୟ ଓ ବ୍ୟାକରଣର ଏକ ଅପୂର୍ବ ସଂଗମ ଅଟେ । ୧୮୯୯ ଖ୍ରୀ.ଅ.ରେ ଏହାର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା । ‘ସିଦ୍ଧାନ୍ତ ଦର୍ପଣ’ କୁ ଆଧାର କରି ଏବେ ଓଡ଼ିଶାରେ ପଞ୍ଜିକା ଗଣନା କରାଯାଇଛି । ଏହି ପ୍ରସିଦ୍ଧ ବୈଜ୍ଞାନିକ ଦୁଇଖଣ୍ଡ ବାଉଁଶନଳୀ ସାହାଯ୍ୟରେ ଦୂର ପାହାଡ଼ର ଉଚ୍ଚତା ମାପିପାରୁଥିଲେ । ନିଜସ୍ୱ ନିର୍ମିତ ଗାଉଁଲି ଯନ୍ତ୍ର ଦ୍ୱାରା ଗ୍ରହ-ନକ୍ଷତ୍ର ସଂପର୍କିତ ତଥ୍ୟ ଦେଇପାରୁଥିଲେ । ଇଂରେଜ ସରକାର ତାଙ୍କୁ ‘ମହାମହୋପାଧ୍ୟାୟ’ ଉପାଧି ପ୍ରଦାନ କରିଥିଲେ । ପଠାଣିସାମନ୍ତଙ୍କୁ ‘ଉତ୍କଳଚନ୍ଦ୍ରମା’ ମଧ୍ୟ କୁହାଯାଏ ।
ଅଧିକ ଜାଣନ୍ତୁ ପଠାଣି ସାମନ୍ତଙ୍କ ବିଷୟରେ
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ । ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ଜୀବନକାଳ
୧୮୩୫ ମସିହା ଡିସେମ୍ବର ୧୩ତାରିଖ ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ଚନ୍ଦ୍ରଶେଖର ଖଣ୍ଡପଡ଼ା ରାଜବଂଶରେ ଜନ୍ମଗ୍ରହଣ କରିଥିଲେ । ଖଣ୍ଡପଡ଼ା ନିକଟସ୍ଥ ଖୁଁଟୁପଡ଼ା ଗ୍ରାମସ୍ଥିତ ମହାଦେବ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ପ୍ରସାଦରୁ ଏହି ବାଳକ ଜନ୍ମଗ୍ରହଣ କରିଥିବାର ବିଶ୍ୱାସ କରି, ପିତାମାତା ତାଙ୍କର ନାମ ଚନ୍ଦ୍ରଶେଖର ରଖିଥିଲେ । ତାଙ୍କ ଆଗରୁ ଦୁଇଟି ଝିଅ ଓ ଗୋଟିଏ ପୁଅ ମରିଯାଇଥିବାରୁ, ତାଙ୍କ ଅପର୍ତ୍ତ୍ୟାଣି ନାମ ପଠାଣି ରଖାଯାଇଥିଲା । ପିଲାଦିନୁ ସେ ଉଦାସୀନ, ମନଯୋଗୀ, ଏକାଗ୍ରଚିତ୍ତ ଓ ଅଧ୍ୟବସାୟୀ ଓ ଉଦାରମନା ଥିଲେ । ଗୁରୁ କୃତ୍ତିବାସ ରଥଙ୍କଠାରୁ ବାଲ୍ୟଶିକ୍ଷା ଓ ଗୁରୁ ପଣ୍ଡିତ ଆନନ୍ଦ ଖାଡ଼ଙ୍ଗାଙ୍କଠାରୁ ସଂସ୍କୃତ ଶିକ୍ଷା ଲାଭ କରିଥିଲେ ।ଥ୪ଧ ଚନ୍ଦ୍ରଶେଖରଙ୍କ ବାପା ସେହି ସମୟରେ ଜଣେ ପ୍ରଧାନ ଗାଣିତିକ ଥିଲେ । ଗଣିତ ଜ୍ୟୋତିଷରେ ତାହାଙ୍କର ଗଭୀର ପାଣ୍ଡିତ୍ୟ ଥିଲା । ଚନ୍ଦ୍ରଶେଖର ବାପାଙ୍କ ଠାରୁ ଗଣିତ ଜ୍ୟୋତିଷର ଆଲୋଚନା ମାଧ୍ୟମରେ ଶିକ୍ଷା ଲାଭ କରିଥିଲେ । ସେ ପୁରାତନ ଜ୍ୟୋତିଷ ଶାସ୍ତ୍ରମାନ ପର୍ୟ୍ୟାଲୋଚନା କରି ତାରା ଜଗତର ଗତିବିଧି ଅନୁଧ୍ୟାନ କରିବା ସହ ସୂକ୍ଷ୍ମ ଯନ୍ତ୍ରମାନ ଉଦ୍ଭାବନ କରିଥିଲେ । ଦୁଇଗୋଟି ବାଉଁଶନଳୀ ସାହାଯ୍ୟରେ ଦୂରଦୂରାନ୍ତର ଗ୍ରହ ମଣ୍ଡଳର ନକ୍ଷତ୍ରମାନଙ୍କର ଗତି ଅବଲୋକନ କରି ଥ୫ଧ ସେ ଯେଉଁ ସିଦ୍ଧାନ୍ତରେ ଉପନୀତ ହେଲେ ତାହା ପୁରାତନ ସଂସ୍କୃତ ଜ୍ୟୋତିଷ ଶାସ୍ତ୍ରର ସିଦ୍ଧାନ୍ତ ସହିତ ତାହାର ଅନେକ ଅସମାନତା ଥିଲା । ତାହାଙ୍କର ନିଜ ସିଦ୍ଧାନ୍ତରୁ ପ୍ରମାଣିତ ହେଲା ଯେ, ପୁରାତନ ଭାରତୀୟ ଜ୍ୟୋତିର୍ବିଦମାନଙ୍କ ଗଣନା ଦିବସରୁ ନକ୍ଷତ୍ର ଜଗତର ସ୍ଥିତି ଗତିର ବଦଳିଯାଇଛି । ତାଙ୍କର ନୂତନ ମୌଳିକ ଗଣନା ଅନୁଯାୟୀ ସେ ସିଦ୍ଧାନ୍ତ ଦର୍ପଣ ପୋଥି ରଚନା କଲେ ।
ରଚନାବଳୀ
ସିଦ୍ଧାନ୍ତ ଦର୍ପଣ (୧୮୯୯ରେ କଲିକତା ବିଶ୍ୱବିଦ୍ୟାଳୟରୁ ପ୍ରକାଶିତ) ଏଥିରେ ପାଖାପାଖି ୨୦୦୦ଗୋଟି ପଦ ରହିଅଛି ।
ପଠାଣି ସାମନ୍ତ ୧୮୬୯ ମସିହା ମେଷ ସଂକ୍ରମଣ ଦିନ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥର ରଚନା ଆରମ୍ଭ କରିଥିଲେ । ୩୪ବର୍ଷ ବୟସରୁ ଆରମ୍ଭ କରିଥିବା ଏହି ଗ୍ରନ୍ଥ ମୁକୁନ୍ଦ ଦେବଙ୍କ ୧୪ଶ ଅଙ୍କ ମାର୍ଗଶୀର କୃଷ୍ଣ ନବମୀ ଶନିବାର ଅର୍ଥାତ ୧୮୯୨ ମସିହା ନଭେମ୍ବର ୧୨ତାରିଖ ଦିନ ସମାପ୍ତ ହୋଇଥିଲା । ଅତି ସୁନ୍ଦର ପଦ୍ୟାବଳି ସହ ସଂସ୍କୃତ ଭାଷାରେ ଲିଖିତ ଏହି ବୃହତ ଗ୍ରନ୍ଥରେ ୨୪ଟି ବିଭାଗ ଏବଂ ୨୫୦୦ଟି ଶ୍ଳୋକ ସ୍ଥାନିତ ହୋଇଛି । ଏଥିମଧ୍ୟରୁ ୨୨୮୪ଟି ଶ୍ଳୋକ ସାମନ୍ତଙ୍କଦ୍ୱାରା ରଚିତ ହୋଇଥିବା ବେଳେ ଅବଶିଷ୍ଟ ପୁରାତନ ସିଦ୍ଧାନ୍ତମାନଙ୍କରୁ ଗୃହୀତ । ଏହି ଗ୍ରନ୍ଥ ମଧ୍ୟାଧିକାର, ସ୍ଫୁଟାଧିକାର, ତ୍ରିପ୍ରଶ୍ନାଧିକାର, ଗୋଳାଧିକାର ଓ କାଳାଧିକାର ପରି ପଞ୍ଚ ଅଧିକାରରେ ବିଭକ୍ତ । ତାଳପତ୍ର ଉପରେ ଲିଖିତ ପଠାଣି ସାମନ୍ତଙ୍କ ହସ୍ତଲିପିକୁ ଘନଶ୍ୟାମ ମିଶ୍ର କାଗଜକୁ ଉତ୍ତାରିଥିଲେ । ତତ୍କାଳିନ କରଦରାଜ୍ୟ ସମୂହର ତଦନାନ୍ତୀନ ସହକାରୀ ସୁପରିଟେଣ୍ଡେଣ୍ଟ ସୁଦାମ ଚରଣ ନାୟକଙ୍କ ଉଦ୍ୟମରେ ଆଠମଲ୍ଲିକ ରାଜା ମହେନ୍ଦ୍ର ଦେଓ ଓ ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଆର୍ଥିକ ସହାୟତା କ୍ରମେ କଲିକତା ସ୍ଥିତ ଗିରୀଶ ବିଦ୍ୟାରତ୍ନ ମୁଦ୍ରଣାଳୟରେ ୧୮୯୪ ମସିହାରେ ଛାପାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଗ୍ରନ୍ଥଟି ପାଖାପାଖି ୧୦୦ ବର୍ଷ ପର୍ଯ୍ଯନ୍ତ ଅନାଲୋଚିତ ହୋଇ ରହିଥିଲା । ଅଧ୍ୟାପକ ଯୋଗେଶଚନ୍ଦ୍ର ରାୟ ବିଦ୍ୟାନିଧି ‘‘ନେଚର କଲେଜ’’ ନାମକ ପତ୍ରିକାରେ ଏ ବିଷୟରେ ଏକ ଲେଖା ପ୍ରକାଶ କରି ଏହାକୁ ଲୋକ ଲୋଚନକୁ ଆଣିଥିଲେ । ପଦାର୍ଥବିଜ୍ଞାନୀ ପ୍ରଫେସର ଲକ୍ଷ୍ମୀଧର ଶତପଥି ଓ ଡଃ ପ୍ରହଲ୍ଲାଦ ଚନ୍ଦ୍ର ନାୟକ ମିଳିତ ଭାବେ ପଠାଣି ସାମନ୍ତ ସମ୍ବନ୍ଧରେ କତିପୟ ପ୍ରବନ୍ଧ ପ୍ରକାଶ କରି ଅଛନ୍ତି । କେତକ ଭାରତୀୟ ଓ ଅଣ-ଭାରତୀୟ ବୈଜ୍ଞାନିକଙ୍କ ଚେଷ୍ଟାରେ ତାଙ୍କ ସମ୍ବନ୍ଧରେ ‘‘ବୌଦ୍ଧିକ ଅବଦାନ’’ ନାମକ ପୁସ୍ତକ ଦିଲ୍ଲୀର ନିରୋସା ପବ୍ଲିସିଂ ହାଉସ ତରଫରୁ ପ୍ରକାଶିତ ହୋଇଛି ।
ତାଙ୍କ ତିଆରି ଯନ୍ତ୍ର
ଗୋଲଯନ୍ତ୍ର, ସୂର୍ଯ୍ୟଘଡ଼ି (ଏହା ସୂର୍ଯ୍ୟଙ୍କ ଗତିକୁ ନେଇ ସମୟ ନିରୂପଣ ପାଇଁ ବ୍ୟବହାର କରାଯାଇଥାଏ), ଶଙ୍କୁଦଣ୍ଡ, ଉଲମ୍ବୀ ଚକ୍ର, ମାନଯନ୍ତ୍ର, ଖଗୋଳଯନ୍ତ୍ର
ପୁରସ୍କାର ଓ ସମ୍ମାନ
ଫଳିତ ଜ୍ୟୋତିଷର ନିର୍ଭୁଲ ଗଣନା ଯୋଗୁଁ ତାଙ୍କୁ ୧୮୯୩ ମସିହାରେ ମହାମହୋପାଧ୍ୟାୟ ଉପାଧିରେ ବିଭୂଷିତ କରାଯାଇଥିଲା।
ତା ୨୦.୧୧.୧୯୦୩ରିଖରେ ତତ୍କାଳିନ ଇଂରେଜ ସରକାର ତାଙ୍କୁ ୫୦ଟଙ୍କାର ମାସିକ ବୃତ୍ତି ପ୍ରଦାନ କରିଥିଲେ।
ଶେଷ ଜୀବନ
ନିଜର ଜାତକକୁ ଗଣନା କରି ନିଜର ମୃତ୍ୟୁ ସମୟ ସେ ବହୁ ପୂର୍ବରୁ ଜାଣି ପାରିଥିଲେ । ସେଥିପାଇଁ ଅନ୍ତିମ କାଳରେ ସେ ପୁରୀରେ ଅବସ୍ଥାନ ପୂର୍ବକ ମହାପ୍ରଭୁ ଜଗନ୍ନାଥଙ୍କ କୃପାଲାଭ କରି ୧୧ ଜୁନ ୧୯୦୪ରେ ଇହଲୀଳା ସମ୍ବରଣ କରିଥିଲେ । କବିବର ରାଧାନାଥ ତାଙ୍କର ପ୍ରତିଭା ଓ କୃତିକୁ ଲକ୍ଷ୍ୟକରି ଦରବାର କବିତାରେ ଲେଖିଛନ୍ତି
‘‘ଉତ୍କଳମାତାର ଯୋଗ୍ୟତମ ସୂତ,
ତୁମ୍ଭ ଯୋଗୁଁ ଆମ୍ଭେ ସର୍ବେ ହେଲୁ ପୂତ,
ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ,
ନର ଦେହେଥିବ ଯାବତ ହୃଦୟ।’’
ସ୍ମୃତି ସନ୍ତକ
ପଠାଣି ସାମନ୍ତ ପ୍ଲାନେଟୋରିଅମ: ଭୁବନେଶ୍ୱରଠାରେ ତାଙ୍କୁ ସମ୍ମାନ ଜଣାଇ ଓଡ଼ିଶାର ଲୋକମାନଙ୍କ ଭିତରେ ଖଗୋଳ ବିଜ୍ଞାନ ଓ ଜ୍ୟୋତିର୍ବିଜ୍ଞାନ ଉପରେ ଅଧିକ ଆଗ୍ରହ ଜନ୍ମାଇବା ଲକ୍ଷରେ ଏହି ତାରାଘର ତିଆରି କରାଯାଇଅଛି ।
୧୯୧୫ ମସିହା ଅଗଷ୍ଟ ମାସ ପହିଲାରେ ପୁରୀଠାରେ “ଚନ୍ଦ୍ରଶେଖର ହଲ” ପ୍ରତିଷ୍ଠା କରାଯାଇଥିଲା ଯେଉଁଥିରେ ସାହିତ୍ୟିକ ଗୋପାଳ ଚନ୍ଦ୍ର ପ୍ରହରାଜ ଚନ୍ଦ୍ରଶେଖରଙ୍କ ସ୍ମୃତି ତର୍ପଣ କରି କହିଥିଲେ:
“ନିଜ ଦେଶରେ ନିଜ ଗ୍ରାମରେ, ଆପଣା ଜୀବିତ କାଳରେ ମହାପୁରୁଷ ମାନେ ସମ୍ମାନିତ ହେବାର ମହାପୁରୁଷମାନଙ୍କର ଜୀବନରେ କ୍ୱଚିତ୍ ଘଟିଥାଏ । ଆମ ଦେଶର “ଗାଁ କନିଆଁ ସିଙ୍ଘାଣିନାକୀ” ଏବଂ “ଗାଁ ବଳଦ ଗାଁରେ ବିକାଯାଏ ନାହିଁ ” ପ୍ରଭୃତି ପ୍ରବଚନ ଏହି ଉକ୍ତିର ସତ୍ୟତା ପ୍ରତିପାଦନ କରୁଅଛି ।”