ଓଡ଼ଗାଁ,(ନୟାଗଡ଼ ଦର୍ପଣ): ୟୁନିସେଫ୍ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପଞ୍ଚାୟତିରାଜ ବିଭାଗ, ଓଡ଼ିଶା ସରକାର ତରଫରୁ ମିଳିତ ଭାବେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର କୁରାଳ ଏବଂ ହରିଡାବନ୍ଧ ପଞ୍ଚାୟତକୁ “ଶିଶୁମିତ୍ର” ପଞ୍ଚାୟତ ଭାବେ ଘୋଷଣା କରାଯାଇଥିବା ଜଣାପଡ଼ିଛି। ଏ ଅବସରରେ ୟୁନିସେଫର ପରାମର୍ଶଦାତା ଅଶୋକ କୁମାର ମହାପାତ୍ର ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓଡ଼ିଶା ସରକାରଙ୍କ ତରଫରୁ ପୂର୍ବତନ ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷା ରଞ୍ଜୁବାଳା ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୁରାଳ ପଞ୍ଚାୟତ ଅଧୀନ ଦଣ୍ଡୋର ଗ୍ରାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଡଃ ଅଧିବାସ ପଣ୍ଡା, ଦିବାକର ପଣ୍ଡା, ଶାନ୍ତନୁ ବିଶୋୟୀ, ଭରତ ସାହାଣୀ, ସନ୍ୟାସୀ ମିଶ୍ର, ଲକ୍ଷ୍ମଣ ସ୍ୱାଇଁ, ନାରାୟଣ ରାଉତ, ବୄନ୍ଦାବନ ରାଉତ, ସରସ୍ବତୀ ପଣ୍ଡା, ପ୍ରଭାତ ପଣ୍ଡା, ରବୀନ୍ଦ୍ର ମିଶ୍ର, ଆଶିଷ କୁମାର ପରିଡ଼ା, ଜ୍ଞାନରଞ୍ଜନ ଜେନା ପ୍ରମୁଖ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ସମାଜସେବୀ ତଥା ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ଅଧିକାରୀମାନେ ଉପସ୍ଥିତ ଗ୍ରାମବାସୀମାନଙ୍କ ଜରିଆରେ ଗ୍ରାମର ଶିଶୁମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ଶିଶୁମିତ୍ର ପଞ୍ଚାୟତର ଆଭିମୁଖ୍ୟଗୁଡିକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଯଶୋବନ୍ତ ପଟ୍ଟନାୟକ ସଭା ପରିଚାଳନା କରିଥିବାବେଳେ ଅଙ୍ଗନବାଡ଼ି କର୍ମୀ ଭାଗ୍ୟଲତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
