ନିଜ ଜୀବନକୁ ପାଣି ଛଡାଇ ରକ୍ଷା କଲେ ଦୁଇ ଜୀବନ

ପ୍ରଶଂସା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି।
ଓଡିଶା ପାଇଁ ଗୌରବ ଆଣିଲେ ଚିତରଞ୍ଜନ

ରଣପୁର/ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଅସୀମ ସାହାସିକତା ପ୍ରଦର୍ଶନ ପୂର୍ବକ ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ଦୁଇ ଜୀବନ।ଏଭଳି କାର୍ଯ୍ୟ ପାଇଁ ପୁଡୁଚେରୀ ବାଚସ୍ପତି ନିଜ ବାସଭବନରେ ଚିତରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ପ୍ରଶଂସା କରିବା ସହ ଓଡ଼ିଶାର ବିଜୁ ପଟ୍ଟନାୟକ ବୋଲି କହି ଟୁଇଟ କରିଛନ୍ତି।

ଓଡିଶା ପାଇଁ ଏଭଳି ଗୌରବ ଆଣିଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ପଥରପୁଞ୍ଜି ଗାଁର ୧୯ ବର୍ଷୀୟ ଯୁବକ ଚିତ୍ତରଞ୍ଜନ ପ୍ରଧାନ।ସୂଚନା ଅନୁଯାୟୀ ଚିତରଞ୍ଜନ ମେଡିଟେସନ ପାଇଁ ଯାଇଥିଲେ ପୁଦୁଚେରୀ।ପୁଦୁଚେରୀ ବେଳାଭୂମିରେ ବୁଲୁଲୁଥିବା ବେଳେ ହଠାତ ସମୁଦ୍ରରେ ତିନି ଜଣ ବୁଡ଼ି ଯାଉଥିବାର ସେ ଦେଖିବାକୁ ପାଇଥିଲେ।ସେଠାରେ ପୁଦୁଚେରୀ ପୋଲିସ ଏବଂ କୋଷ୍ଟଗାର୍ଡଙ୍କ ସମେତ ବହୁ ଦେଖଣାହାରୀ ପର୍ଯ୍ୟଟକ ଉପସ୍ଥିତ ଥିଲେ ମଧ୍ୟ ସହାୟତା ପାଇଁ କେହି ବାହାରି ନଥିବାବେଳେ ଚିତ୍ତରଞ୍ଜନ କାଳ ବିଳମ୍ବ ନକରି ନିଜ ଜୀବନକୁ ବାଜି ଲଗାଇ ଡେଇଁ ପଡ଼ିଥିଲେ ସମୁଦ୍ର ମଧ୍ୟକୁ।

ଅସୀମ ସାହସର ସହ ବୁଡିଯାଉଥିବା ୩ଜଣକଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରିବାରେ ସେ ସଫଳ ହୋଇଥିଲେ।ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସେତେବେଳେ ତାଙ୍କ ପାଖରେ ନାଁ ଥିଲା ଖଣ୍ଡେ ଦଉଡି କିମ୍ବା ରସି।ଏପରିକି ଚିତ୍ତରଞ୍ଜନ ଙ୍କ ଦେହରେ ମଧ୍ୟ ନଥିଲା ସେପ୍ଟି ଜ୍ୟାକେଟ ଖଣ୍ଡିଏ।ଏ ସବୁ ସତ୍ତ୍ୱେ ସେ ହାର ମାନି ନଥିଲେ ବରଂ ସଫଳ ହୋଇଥିଲେ ଦୁଇଟି ଜୀବନ ବଞ୍ଚାଇବାରେ।ତେବେ ତିନି ଜଣକ ମଧ୍ୟରୁ ତୃତୀୟ ଜଣକଙ୍କ ମୃତ୍ୟୁ କୁ ଖୁବ ନିକଟରେ ଦେଖି କିଛି କରିପାରିବା ଅବସ୍ଥାରେ ନଥିବା ହେତୁ ଦୁଃଖ ପ୍ରକାଶ କରିବା ସହ ଭାବ ବିହ୍ଵଳିତ ହୋଇ କହିଛନ୍ତି ଚିତ୍ତରଞ୍ଜନ।ଚିତରଞ୍ଜନ ଙ୍କ କହିବା ଅନୁସାରେ ବଞ୍ଚିଯାଇଥିବା ଦୁଇଜଣଙ୍କ ମଧ୍ୟରୁ ମହିଳା ଜଣକ ହେଉଛନ୍ତି କୁଏମ୍ବାଟୁର ୧୭ ବୟସ୍କା ଅମୃତା ଶିବ କୁମାରନ ଯିଏକି, ପୁଦୁଚେରୀ ରେ ଅନୁଷ୍ଠିତ ନ୍ୟାସନାଲ ବକ୍ସିଙ୍ଗ ଚମ୍ପିୟାନସିପର ଜୁନିୟର ବିଭାଗରେ ତିନି ତିନି ଥର ସ୍ବର୍ଣ୍ଣ ପଦକ ବିଜୟିନୀ ଏବଂ ତାଙ୍କ ସହ ଅନ୍ୟ ଜଣକ ହେଉଛନ୍ତି ତାଙ୍କର କୋଚ୍ ସର୍ବେଶ୍ୱରନ ।

ତେବେ ଏହି ଦୁଃସାହସୀ ଯୁବକ ଜଣକ ଶିକ୍ଷକ ଶରତ କୁମାର ପ୍ରଧାନ ଏବଂ ଶ୍ରୀମତୀ ସୁଧାଂଶୁବାଳା ପ୍ରଧାନଙ୍କ ଏକମାତ୍ର ପୁଅ ହୋଇଥିବାବେଳେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରାଜସୁନାଖଳାର ପୂର୍ବତନ ଛାତ୍ର ଅଟନ୍ତି।ବିଦ୍ୟାଳୟ ପକ୍ଷରୁ ଶ୍ରୀ ପ୍ରଧାନ ପୁଦୁଚେରୀ କୁ ଏକ ଶିବିରରେ ଯୋଗଦାନ କରିବା ନିମନ୍ତେ ଗତ ଜାନୁୟାରୀ ୫ ତାରିଖରେ ପୂଦୁଚେରୀ ଯାଇଥିଲେ।ଦୁର୍ଘଟଣା ଟି ଗତ ୦୮/୦୧/୨୨ରେ ଘଟିଥିବା ବେଳେ ଗତ ୧୪ ତାରିଖରେ ତାଙ୍କୁ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରାଜସୁନଖଳାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପକ୍ଷରୁ ସମର୍ଦ୍ଧିତ କରାଯାଇଥିଲା।

ତେବେ ଏ ଖବର ପ୍ରକାଶିତ ହେବାପରେ ଚିତରଞ୍ଜନଙ୍କ ନିକଟକୁ ବିଭିନ୍ନ ମହଲରୁ ପ୍ରଶଂସାର ଛୁଅ ଛୁଟିଥିବାବେଳେ ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ନୟାଗଡ଼ ପକ୍ଷରୁ ଆଗାମୀ ୨୨ ତାରିଖ ରବିବାର ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଶ୍ରୀ ପ୍ରଧାନଙ୍କୁ ସମର୍ଦ୍ଧିତ କରାଯିବ ବୋଲି ସଂଗଠନ ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ମୁଖପାତ୍ର ପ୍ରଦୀପ କୁମାର ରଣା ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ କହିଛନ୍ତି।

ପ୍ରଦୀପ କୁମାର ରଣା
ରାଜସୁନଖଳା ପ୍ରତିନିଧି
ମୋ-୯୯୩୮୬୮୮୪୩୨

Related posts