ଠକରା ବାଦ୍ୟକାରକୁ ସମ୍ମାନିତ କଲା ଅନନ୍ୟା ଫାଉଣ୍ଡେସନ୍

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରାଚୀନ କାଳର ବହୁ ଲୋକନୃତ୍ୟ, ପାରମ୍ପରିକ ବାଦ୍ୟ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ବିଭିନ୍ନ କ୍ଷେତ୍ରରୁ ପ୍ରୋତ୍ସାହନ ନ ମିଳିବା ତଥା ଏ ସବୁକୁ ନିର୍ଭର କରି ପରିବାର ପ୍ରତିପୋଷଣ କରିବା ସମ୍ଭବ ହେଉ ନଥିବାରୁ ଧୀରେ ଧୀରେ କଳାକାର ମାନେ ଅନ୍ୟ ପନ୍ଥା ଆଦରି ନେଲେଣି। ଆମ ଓଡ଼ିଶାର ଏଭଳି କିଛି ପରମ୍ପରା ବୁଡ଼ିବାକୁ ବସିଥିବା ବେଳେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଆଶାର ଆଲୋକ ନେଇ କିଛି ଯୁବ ପିଢ଼ି ଏ ଦିଗରେ ଆକୃଷ୍ଟ ହୋଇ ଆଗକୁ ଆସୁଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ଶରଣକୁଳ ଗୋଡ଼ିପଲ୍ଲୀର ନବମ ଶ୍ରେଣୀର ଛାତ୍ର ସଂଗ୍ରାମ କେଶରୀ ସ୍ୱାଇଁ। ଏତେ କୋମଳ ବୟସରୁ ଠକରା ନାମକ ଏକ ବାଦ୍ୟ ଯନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ପରିବେଷଣ କରି ସୋସିଆଲ୍ ମିଡିଆରେ ଖୁବ ପ୍ରଶଂସା ସାଉଁଟିଛନ୍ତି। ଏଭଳି ଏକ ପ୍ରତିଭାକୁ ଗତକାଲି ଜାତୀୟ ଯୁବ ସପ୍ତାହ ସଂସ୍କୃତି ଦିବସରେ ସମ୍ମାନିତ କରିଛି ଅନନ୍ୟା ଫାଉଣ୍ଡେସନ୍।

ନେହେରୁ ଯୁବା କେନ୍ଦ୍ର, ନୟାଗଡ଼ ସହାୟତାରେ ହୋଇଥିବା ଏହି ସଭାରେ ଖଞ୍ଜଣି ବାଦକ ସପନ ପ୍ରଧାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ସପନ ପ୍ରଧାନ ଖୁବ୍ କମ ବୟସରେ ଖଞ୍ଜଣି ବାଦ୍ୟ ପରିବେଷଣ କରି ବହୁ ଗୀତକୁ ରିମିକ୍ସ କରି ସୁନ୍ଦର ଭାବେ ପରିବେଷଣ କରି ଚର୍ଚ୍ଚାର ପରିସର ହୋଇଛନ୍ତି। ସପନ ଆଗରୁ ମଧ୍ୟ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ଗାଁ ଆଖଡ଼ାରେ ନିଜର କଳା ପ୍ରଦର୍ଶନ କରି ଦର୍ଶକଙ୍କ ପ୍ରିୟ ଭାଜନ ହୋଇଛନ୍ତି।

ଆଜିର ଏହି ସଭାରେ ରାମକୃଷ୍ଣ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଧର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ଗୁଣଗାନ କରିବା ସହ ନିଶାରେ କବଳିତ ହୋଇ ଯୁବକମାନେ ବିପଥଗାମୀ ନହେବା ପାଇଁ ପରାମର୍ଶ ଦେଇଥିଲେ। ଆଜିର ଏହି ସଭାରେ ଅନ୍ୟତମ ଅତିଥି ଭାବେ ସମାଜସେବୀ ନୀଳମଣି ସ୍ୱାଇଁ ଯୋଗ ଦେଇଥିଲେ। ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଶୁତୋଷ ଦାସ ମଞ୍ଚ ପରିଚାଳନା କରିବା ସହ ସନ୍ତୋଷ ପ୍ରଧାନ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା। ଯୁବପ୍ରତିଭାଙ୍କୁ ଆଗାମୀ ଦିନରେ ଆହୁରି ପ୍ରୋତ୍ସାହିତ କରାଯିବ ବୋଲି ଅନନ୍ୟା ଫାଉଣ୍ଡେସନ୍ ତରଫରୁ ସୂଚନା ଦିଆଯାଇଛି।

Related posts