ମଞ୍ଚାୟନ ତରଫରୁ ନୟାଗଡ଼ରେ ଆସନ୍ତା ୨୪ରୁ ୨୬ ରାଜ୍ୟସ୍ତରୀୟ ନାଟ୍ୟମହୋତ୍ସବ

ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ର ପ୍ରମୁଖ ନାଟ୍ୟ ସଂସ୍ଥାମାନଙ୍କ ମିଳିତ ସହଯୋଗରେ ଗଠିତ ନାଟ୍ୟାନୁଷ୍ଠାନ ମଞ୍ଚାୟନ ତରଫରୁ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଡିସେମ୍ବର ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ମଞ୍ଚାୟନର ସଭାପତି ଯାମିନୀକାନ୍ତ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ଏହି ନାଟ୍ୟ ମହୋତ୍ସବକୁ ନୟାଗଡ଼ର ଜିଲ୍ଲାପାଳ ଡା. ପୋମା ଟୁଡୁ ଉଦଘାଟନ କରୁଥିବା ବେଳେ ଉଦଘାଟନୀ ସଂଧ୍ୟାରେ ଶତାବ୍ଦୀର କଳାକାର ଭୁବନେଶ୍ୱର ତରଫରୁ ଦର୍ପନାରାୟଣ ସେଠୀଙ୍କ ନିର୍ଦ୍ଦେଶିତ ତଥା ସର୍ବଭାରତୀୟ ସ୍ତରରେ ପ୍ରଶଂସିତ ନାଟକ ‘ବାଞ୍ଛାର ବଗିଚା’ ଅଭିନୀତ ହେବ । ଦ୍ୱିତୀୟ ସଂଧ୍ୟାରେ ନୟାଗଡ଼ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏହି ସଂଧ୍ୟାରେ ଜୀବନରେଖା ଭୁବନେଶ୍ୱରର ବହୁ ଚର୍ଚ୍ଚିତ ନାଟକ ‘ଆଧେ ଅଧୁରେ’ ଅଭିନ୍ନ ରାଉତରାୟଙ୍କ ନିର୍ଦ୍ଦେଶନାରେ ପରିବେଷଣ ହେବ । ନାଟ୍ୟ ମହୋତ୍ସବର ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ କୃଷି ଓ କୃଷକ ସଶକ୍ତି କରଣ, ପ୍ରାଣୀ ଓ ମତ୍ସ୍ୟ ସଂପଦ ଓ ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ସଂଧ୍ୟାରେ ନୟାଗଡ଼ର ଅଗ୍ରଣୀ ନାଟ୍ୟସଂସ୍ଥା ରାଗେଶ୍ରୀ ନିଳୟ ତରଫରୁ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ନାଟକ ‘ରିଲେରେସ’ ଅଭିନୀତ ହେବ । ତିନି ଦିନ ଧରି ଏହି ନାଟକ ମହୋତ୍ସବରେ ନୟାଗଡ଼ର ନାଟ୍ୟପ୍ରତିଭୁ ପ୍ରଭାତ କୁମାର ମହାରଣା, ବିଶିଷ୍ଟ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବ କିଶୋର ମିଶ୍ର, ବର୍ଷିୟାନ ମଞ୍ଚ ଅଭିନେତା ମନୋରଞ୍ଜନ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବ । ମହାତ୍ସବର ବିଭିନ୍ନ ସଂନ୍ଧ୍ୟାରେ ବିଶିଷ୍ଟ ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ଅଭିନେତା ଓ ନିର୍ଦ୍ଦେଶକ ପବିତ୍ର କୁମାର ମହାନ୍ତି, ଖ୍ୟାତନାମା ଚିକିତ୍ସକ ଡା.ଆଲୋକ କୁମାର କାନୁନଗୋ, ପୌରପରିଷଦ ନୟାଗଡ଼ର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଉଛନ୍ତି । ମଞ୍ଚାୟନ ତରଫରୁ ଆୟୋଜିତ ପ୍ରଥମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ନୟାଗଡ଼ର ସମୃଦ୍ଧ ନାଟ୍ୟ ପରମ୍ପରାକୁ ଆହୁରି ପ୍ରଭାବଶାଳୀ କରିପାରିବ ବୋଲି ଅନୁଷ୍ଠାନର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ମତବ୍ୟକ୍ତ କରିଛନ୍ତି ।

Related posts