ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା ଅଦାଲତ ସମେତ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ୧୧୮୭ ଗୋଟି ଦେୱାନି ଓ ଫୌଜଦାରୀ ମାମଲା ଆଗତ ହୋଇ ତନ୍ମଧ୍ୟରୁ ୧୩୩ ଗୋଟି ମାମଲା ଫଇସଲା ହୋଇଛି । ଏଥି ନିମନ୍ତେ ୩୬ଲକ୍ଷ ୯୬ହଜାର ୯୪୮ଟଙ୍କା ହିତାଧିକାରୀ ମାନଙ୍କୁ ପ୍ରଦାନ ଲାଗି ସ୍ଥିରିକୃତ ହୋଇଅଛି । ସେହିପରି ୧୬୪୮ ଗୋଟି ବ୍ୟାଙ୍କ ଋଣ ଅନାଦେୟ ମାମଲାର ଆଗତ ହୋଇ ୧୬୬ ଗୋଟି ମାମଲାର ଫଇସଲା ହୋଇ ୫୨ଲକ୍ଷ ୪୧ହଜାର ୨୮ଟଙ୍କା ବ୍ୟାଙ୍କ ଋଣ ରାଶି ସେଟଲମେଣ୍ଟ (ରାଜିନାମା) ସ୍ୱାକ୍ଷରିତ ହୋଇଛି। ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଜଜ୍ ରୁପଶ୍ରୀ ଚୌଧୁରିଙ୍କ କୋର୍ଟରେ ୪୦ ଗୋଟି ଗାଡ଼ି ମୋଟର ଦୁର୍ଘଟଣା ମାମଲାରୁ ୮ଗୋଟି ମାମଲା ଫଇସଲା ହୋଇ ୩୫ଲକ୍ଷ ୫୫ ହଜାର ୯୮୪ଟଙ୍କାର ବିମାରାଶି ପ୍ରଦାନ ପାଇଁ ସଂପୃକ୍ତ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଜିଲ୍ଲାରେ ୩୪ ଗୋଟି ଦେୱାନି ମାମଲା, ୩ ଗୋଟି ଦଫା ଯୋଗ୍ୟ ଫୌଜଦାରୀ ମାମଲା, ୭ ଗୋଟି ଚେକ ବାଉନ୍ସ ମାମଲା, ୪ଗୋଟି ବୈବାହିକ ମାମଲା, ଏବଂ ୭୭ ଗୋଟି ଛୋଟମୋଟ ଅପରାଧ ଜନିତ ମାମଲାର ଫଇସଲା ହୋଇଥିଲା । ଉକ୍ତ ଲୋକ ଅଦାଲତରେ ପରିବାର ଅଦାଲତ ଜଜ୍ ପ୍ରଦୀପ କୁମାର ମହନ୍ତ, ସବଜଜ୍ ଅମିତାଭ ପଣ୍ଡା ଓ ପବିତ୍ରାନନ୍ଦ ପ୍ରଧାନ, ଏସଡିଜେଏମ ବବିତା ପାତ୍ର, ଜେଏମଏଫସି ପ୍ରଚେତା ପ୍ରିୟଦର୍ଶିନୀ ମହାପାତ୍ର, ରେଜିଷ୍ଟ୍ରାର ନିରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ମାମଲା ଫଇସଲା କରିଥିଲେ । ଶେଷରେ ସଚିବ ରଞ୍ଜୁଲତା ଲେଙ୍କା ଏହାର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
କୋର୍ଟ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ
