ନୟାଗଡ଼,(ନୟାଗଡ ଦର୍ପଣ): ବିଶ୍ୱ ମୃତ୍ତିକା ଦିବସ ଅବସରରେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଡି.ଆର.ଡି.ଏ ସମ୍ମିଳନୀ କକ୍ଷ (ସୃଜନ) ଠାରେ ଜିଲ୍ଲା ସ୍ତରୀୟ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ଯୋଗଦେଇ ବିଶ୍ୱ ମୃତ୍ତିକା ଦିବସ ପାଳନର ମହତ୍ତ୍ୱ ବର୍ଣ୍ଣନା କରିବା ସହ ନୟାଗଡ଼ ଜିଲ୍ଲାର ମୃତ୍ତିକା ଅତି ଉନ୍ନତ ମାନର ଏବଂ ଏଥିରୁ ଅତି ଉନ୍ନତ ମାନର ଧାନ, ମୁଗ, ଆଖୁ ଏବଂ ବିଭିନ୍ନ ପନିପରିବା ଅମଳ ହେଉଥିବା କଥା ବୁଝାଇଥିଲେ । ମୁଖ୍ୟତଃ ଜିଲ୍ଲା ମୃତ୍ତିକା ଦିବସର ବିଷୟବସ୍ତୁ ଥିଲା ମୃତ୍ତିକା ଲବଣୀକରଣକୁ ରୋକନ୍ତୁ ଏବଂ ମୃତ୍ତିକାର ଉତ୍ପାଦିକା ଶକ୍ତି ବୃଦ୍ଧି କରନ୍ତୁ । ଏହା ଉପରେ ଆଲୋଚନା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ନୟାଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଗୋଲାପ ଦଳ ବେହେରା, ଆତ୍ମା ନୟାଗଡ଼ର ଅଧ୍ୟକ୍ଷା ଶ୍ରୀ ରାଜେନ୍ଦ୍ର କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳୀ ପାଇକରାୟ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶ୍ରୀ ମୁରଲୀଧର ବେହେରା, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶ୍ରୀ ବାଦଲ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗଦେଇ ମତ ରଖିଥିଲେ । ଡାଲି ଗବେଷଣା କେନ୍ଦ୍ରର ବିଶେଷଜ୍ଞ ଅପର୍ଣ୍ଣା ପ୍ରିୟଦର୍ଶନୀ ପାତ୍ର ବିଭିନ୍ନ ଜୈବିକ ସାରର ବିଶେଷତ୍ୱ ଏବଂ ତା’ର ପ୍ରୟୋଗ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଜୟ କୁମାର ପ୍ରଧାନ ଏବଂ ମୃତ୍ତିକା ପରୀକ୍ଷାଗାରର ସହକାରୀ ନିର୍ଦ୍ଦେଶକ ଓ ମୃତ୍ତିକା ବିଶେଷଜ୍ଞ ଦିପ୍ତୀକାନ୍ତ ରାଉତରାୟ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନୟାଗଡ଼ ବ୍ଲକର ୩୦ ଜଣ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା ।
‘ସୃଜନ’ ଗୃହରେ ଜିଲ୍ଲା ସ୍ତରୀୟ ମୃତ୍ତିକା ଦିବସ ପାଳିତ
