ଓ଼ଡ଼ଗାଁ,(ନୟାଗଡ଼ ଦର୍ପଣ): କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ଜାତୀୟ ସେବାଯୋଜନା ଅଧିକାରିଣୀ ଅଧ୍ୟାପିକା ସୁଷମା ମଞ୍ଜରୀ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଅଛି। ଶିକ୍ଷାଦାନ ସହ ଶୈକ୍ଷିକ ବାତାବରଣ ପାଇଁ ବେଶ ସୁନାମ ଅର୍ଜନ କରିଥିବା ଏହି କଲେଜରେ ସାମାଜିକ ଓ ସଚେତନତା ସୃଷ୍ଟି କ୍ରମରେ ଜାତୀୟ ସେବା ଯୋଜନାର ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ମହାବିଦ୍ୟାଳୟ ପରିସରରୁ ବାହାରି ନିକଟସ୍ଥ ନାଥିଆପଲ୍ଲୀ ଓ ଟାଙ୍ଗୀସାହି ଗ୍ରାମ ପରିକ୍ରମା କରିଥିଲା। କଲେଜ ସମ୍ମୁଖରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଏକ ମାନବ ଶୃଙ୍ଖଳର ଆୟୋଜନ କରିଥିଲେ। କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଏଡ଼ସ ପରି ଭୟାବହ ରୋଗ ଦୁରେଇ ରହିବା ତଥା ନିରାକରଣ ଓ ସଚେତନତା ସମ୍ବନ୍ଧରେ ଜନମାନସରେ ସଚେତନତା ସୃଷ୍ଟି କରାଯାଇଥିଲା। ମହାବିଦ୍ୟାଳୟ ସଭା ଗୃହରେ ଅଧ୍ୟକ୍ଷ ଭାବଗ୍ରାହୀ କରଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ମୁଖ୍ୟବକ୍ତାଭାବେ ଫିଜିଓଥେରାପିଷ୍ଟ ଡକ୍ଟର ବୃନ୍ଦାବନ ପଣ୍ଡା ଯୋଗଦେଇ ଏଡସ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଛାତ୍ରୀଛାତ୍ରମାନଙ୍କୁ ପ୍ରଦାନ କରିଥିଲେ। ପରିଶେଷରେ ପୂର୍ବତନ ଜାତୀୟ ସେବା ଯୋଜନା ଅଧିକାରୀ ସୁଶାନ୍ତ କୁମାର ବିଶୋଇ ନିଜର ବକ୍ତବ୍ୟ ରଖି ଛାତ୍ରାବସ୍ଥାରୁ ଶୃଙ୍ଖଳିତ ଜୀବନଚର୍ଯ୍ୟା ହିଁ ପ୍ରକୃତ ସଚେତନତା ବୋଲି ଦର୍ଶାଇଥିଲେ। ଅଧ୍ୟାପକ କୃଷ୍ଣଚନ୍ଦ୍ର ସାହୁ ଏଡସ ରୋଗର ସଂକ୍ରମଣ ପ୍ରଥମେ ଓଡଗାଁ ଭଳି ସ୍ଥାନରୁ ଆରମ୍ଭ ବୋଲି ଉଲ୍ଲେଖ କରି ଗଞ୍ଜାମ ଓ ନୟାଗଡ ଜିଲ୍ଲାର ସୀମାରେ ଅବସ୍ଥିତ ଆମ୍ଭ ମହାବିଦ୍ୟାଳୟର ୟୁନିଟ ହିଁ ଏ ବିଷୟରେ ଭଲ ସଚେତନତାର ବାର୍ତ୍ତା ପ୍ରସାର କରିପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ଦର୍ଶନ ଅଧ୍ୟାପକ ବିଜୟାନନ୍ଦ ଶତପଥୀ ସମବେତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
କୁରାଳ ସଂସ୍କୃତ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ
