ମହାମାରୀ କରୋନା ପାଇଁ ବନ୍ଦ ଥିଲା ବିଦ୍ୟାଳୟ, ଦୀର୍ଘ ଦେଢ଼ ବର୍ଷ ପରେ ଖୋଲିଲା ୬ଷ୍ଠ, ୭ମ ଶ୍ରେଣୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦୀର୍ଘ ଦେଢ଼ ବର୍ଷ ପରେ ୬ଷ୍ଠ ଓ ୭ମ ଶ୍ରେଣୀ ଖୋଲିଥିବା ବେଳେ ପ୍ରବଳ ଉତ୍ସାହ ଏବଂ ଉଦ୍ଦୀପନା ମଧ୍ୟରେ ଆଜି ବହୁ ସଂଖ୍ୟାରେ ପିଲାମାନେ ବିଦ୍ୟାଳୟକୁ ଆସିଥିଲେ । କରୋନା କଟକଣା ଯୋଗୁଁ ଦୀର୍ଘ ଦେଢ଼ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ଗତ ଚାରି ମାସତଳୁ ନବମ ଏବଂ ଦଶମ ଏବଂ ଏକ ମାସ ତଳୁ ଅଷ୍ଟମ ଶ୍ରେଣୀ ଖୋଲି ଶିକ୍ଷାଦାନ କାର୍ଯ୍ୟ ଚାଲୁ ରହିଛି । ଦୀର୍ଘ ଦେଢ଼ବର୍ଷରୁ ଅଧିକ ଦିନଧରି ଘରେ ବସି ରହିଥିବା ଏହି ପିଲାମାନେ ପ୍ରବଳ ଉତ୍ସାହର ସହିତ ଆଜି ବିଦ୍ୟାଳୟ ଆସିଥିଲେ । ସକାଳ ସାଢ଼େ ୯ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଏହି କ୍ଲାସର ପିଲାମାନଙ୍କ ପାଠ ପଢ଼ା କାର୍ଯ୍ୟ ଚାଲିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ କୋଭିଡ ପାଇଁ ରାଜ୍ୟ ସରକାରଙ୍କ ଏସଓପ ଅନୁଯାୟୀ ପିଲାମାନଙ୍କ ଥର୍ମାଲ ସ୍କାନିଂ,ହାତ ସାଟିଟାଇଜ, ମାସ୍କ ପାରିଧାନ ତଥା ପରସ୍ପର ମଧ୍ୟରେ ସାମାଜିକ ଦୂରତା ଉପରେ ଗୁରତ୍ୱ ଦିଆଯାଉଥିବା ବେଳେ ଏହା ଉପରେ ତଦାରଖ ପାଇଁ ଶିକ୍ଷା ବିଭାଗର ଅଥିକାରୀ ମାନଙ୍କ ଦ୍ୱାରା ଯାଞ୍ଚ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ତଥା ବ୍ଲକ ସ୍ତରରେ ସମସ୍ତ ଉଚ୍ଚ ପ୍ରାଥମିକ ଏବଂ ହାଇସ୍କୁଲ ଗୁଡ଼ିକର ଯାଞ୍ଚ କାର୍ଯ୍ୟ ଶିକ୍ଷା ବିଭାଗର ବିଭିନ୍ନ ଅଧିକାରୀ ମାନଙ୍କ ଦ୍ୱାରା କଡ଼ାକଡ଼ି ଭାବେ କରାଯାଇଛି । ଏହି ସମୟରେ ବିଦ୍ୟାଳୟ ଗୁଡ଼ିକର ସ୍ୱାସ୍ଥ୍ୟକର ପରିବେଶ, ବିଦ୍ୟାଳୟରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ମାସ୍କ ପରିଧାନ ତଥା ଶ୍ରେଣୀ ଗୃହମାନଙ୍କରେ କୋଭିଡ ନିୟମାନୁଯାୟୀ ସାମାଜିକ ଦୂରତା ପାଳନ ଆଦି ସମ୍ପର୍କରେ ସବିଶେଷ ତଦାରଖ କାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ବିଦ୍ୟାଳୟରେ ଶିକ୍ଷାଦାନ କାର୍ଯ୍ୟ ଉଭୟ ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ଚାଲୁ ରହିଥିବା ବେଳେ ପିଲାମାନେ ତାଙ୍କ ଉଛା ଅନୁଯାୟୀ ପାଠ ପଢ଼ି ପାରିବେ ଏବଂ ବିଦ୍ୟାଳୟ ଆସିବା ପାଇଁ ପିଲାମାନଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ । ସେହିପରି ଦୀର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଦ୍ୟାଳୟ ବନ୍ଦ ରହିଥିବା ତଥା ବିନା ଶ୍ରେଣୀ ଶିକ୍ଷାଦାନ ପରିପ୍ରକ୍ଷୀରେ ଗୋଟିଏ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ୬ଷ୍ଟ ଏବଂ ୭ମ ଶ୍ରେଣୀ ପିଲାମାନଙ୍କ ଓଡ଼ିଆ,ଇଂରାଜୀ ଏବଂ ଗଣିତରେ ମୂଳଦୁଆ ପରୀକ୍ଷା ଆସନ୍ତା ୨୨,୨୩ ଏବଂ ୨୪ ତାରିଖରେ କରାଯିବା ପାଇଁ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରତ୍ୟେକ ବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ଫଳାଫଳ ଅନୁଯାୟୀ ପିଲାମାନଙ୍କ ପାଇଁ ଶିକ୍ଷାଦାନ ପ୍ରଣାଳୀ ଅବଲମ୍ବନ କରାଯିବ । ଏହି ପରୀପ୍ରେକ୍ଷୀରେ ନୟାଗଡ଼ ଏନଏସି ହାଇସ୍କୁଲରେ ଆଜିଠାରୁ ୬ଷ୍ଟ ଏବଂ ୭ମ ଶ୍ରେଣୀ ପିଲାଙ୍କ ପାଠପଢ଼ା କାର୍ଯ୍ୟ ଆରମ୍ଭ ହୋଇଛି । ଏଠାରେ ୬ଷ୍ଠ ଠାରୁ ଦଶମ ପର୍ଯ୍ୟନ୍ତ ୪ ଶହରୁ ଉର୍ଦ୍ଧ୍ୱ ପିଲା ପାଠ ପଢ଼ୁଥିବା ବେଳେ ଶ୍ରେଣୀ ଗୃହର ଅଭାବ ଏବଂ ଶିକ୍ଷକ ଅଭାବ ସମସ୍ୟା ଲାଗି ରହିଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ ନୟାଗଡ଼ ଜିଲ୍ଲାରେ ମୋଟ ୪୯୫ଟି ଉଚ୍ଚ ପ୍ରାଥମିକ ଏବଂ ୨୪୫ଟି ହାଇସ୍କୁଲ ରହିଥିବା ବେଳେ ଅଧିକାଂଶ ବିଦ୍ୟାଳୟରେ ଶିକ୍ଷକ ଅଭାବ ଜନିତ ସମସ୍ୟା ଲାଗି ରହିଛି । କୋଭିଡ ଗାଇଡ ଲାଇନ ଅନୁସାରେ ଯଦି ପାଠ ପଢ଼ା କାର୍ଯ୍ୟ କରାଯାଏ ତେବେ ଏହି ସବୁ ବିଦ୍ୟାଳୟ ମାନଙ୍କରେ ଶ୍ରେଣୀ ଗୃହର ମଧ୍ୟ ଅଭାବ ପରିଲକ୍ଷିତ ହେବା ସଙ୍ଗେ ସଙ୍ଗେ ଶିକ୍ଷକ ଅଭାବ ଜନିତ ସମସ୍ୟା ଉତ୍କଟ ରୂପ ଧାରଣ କରିବା ଆଶଂକାକୁ ଏଡ଼ାଇ ଦିଆଯାଇ ନପାରେ ।

Related posts