ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଜସୁନାଖଳା,(ନୟାଗଡ଼ ଦର୍ପଣ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ କାର୍ଯ୍ୟକ୍ରମ ପାଇଁ ଆଜି ଗାଁ ଗାଁକୁ ଗଡ଼ିଛି ପ୍ରଚାର ଗାଡି। ଆଗାମୀ ୧୫ ଡିସେମ୍ବର ୨୦୨୧ ଠାରୁ ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩ମାସ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଏବଂ ୭ଟି କାର୍ଯ୍ୟ ଦିବସରେ ଏହି ସ୍ୱତନ୍ତ୍ର ଟୀକାକରଣ ଅଭିଯାନ କାର୍ଯ୍ୟକ୍ରମ କରାଯିବା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଥିବା ବେଳେ ଏ ନେଇ ଆଜି ନୟାଗଡ଼ ଜିଲ୍ଲାର ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଏକ ସୁସଜ୍ଜିତ ପ୍ରଚାର ଗାଡ଼ି ରାଜସୁନାଖଳା ସଂଲଗ୍ନ ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏହି କାର୍ଯ୍ୟକ୍ରମକୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶ୍ରୀଯୁକ୍ତ ଵୈଦ୍ୟନାଥ ନନ୍ଦ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।