ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ନୟାଗଡ଼ ଜିଳ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଏକ ଆଇନ ସଚେତନତା ପଦଯାତ୍ରା ଜିଲ୍ଲା ଜଜ୍ ରୂପଶ୍ରୀ ଚୌଧୁରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଆଜି ସକାଳ ୮ଘଟିକା ସମୟରେ ଜିଲ୍ଲା କୋର୍ଟ ପରିସରରୁ ଏକ ସଚେତନତା ପଦଯାତ୍ରା ବାହାରି ଥିଲା। ଜିଲ୍ଲା ଜଜ୍ ରୂପଶ୍ରୀ ଚୌଧୁରୀ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପରମିତା ମହାପାତ୍ର, ସବ ଜଜ୍ ପବିତ୍ରନନ୍ଦ ପ୍ରଧାନ, ସଚିବ ରଞ୍ଜୁଲତା ଲେଙ୍କାଙ୍କ ନେତୃତ୍ୱରେ ସ୍ଥାନୀୟ ଗ୍ରାମୀଣ ଆଇନ ସେବା କର୍ମୀ ଏନ.ସି.ସି ଛାତ୍ରଛାତ୍ରୀ, ନର୍ସିଙ୍ଗ କଲେଜ ଛାତ୍ରଛାତ୍ରୀ ଜିଲ୍ଲା କୋର୍ଟ ପ୍ରାଧିକରଣଙ୍କ କର୍ମଚାରୀ ବୃନ୍ଦ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସହର ପରିକ୍ରମା କରି ଜାତୀୟ ଆଇନ ସେବା ଦିବସର ବାର୍ତ୍ତା ଏବଂ ବହୁ ଉପାଦେୟ ଆଇନ କାନୁନର ବ୍ୟବସ୍ଥା ଏବଂ ଏହାର ସୁଫଳ ସମ୍ପର୍କରେ ସ୍ଲୋଗାନ ଦେଇ ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ପଦଯାତ୍ରା ଶେଷରେ ସ୍ଥାନୀୟ ଜିଲ୍ଲା କୋର୍ଟ ପରିସରରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ଏହି ପଦଯାତ୍ରାର ସଫଳତା ପାଇଁ ସଚିବ ରଞ୍ଜୁଲତା ଲେଙ୍କା ଧନ୍ୟବାଦ ପ୍ରଦାନ କରିବା ସହ ଗାଁ ଗହଳିରେ ଏହି ସଚେତନତା କରିବା ପାଇଁ ସମସ୍ତ ଗ୍ରାମୀଣ ଆଇନ ସହାୟତା କର୍ମୀ, ସ୍ୱେଛାସେବୀ ସଂଗଠନର ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦେବାଶିଶ ପଟ୍ଟନାୟକ, ଲିପ୍ସାଦାସ ପଟ୍ଟନାୟକ, ପ୍ରଫୁଲ କୁମାର ବେହେରା, ଅମିତା ପ୍ରଧାନ, ପ୍ରମୋଦ କୁମାର ମହାନ୍ତି ପ୍ରମୁଖ ଗ୍ରାମୀଣ ଆଇନ ସହାୟତା କର୍ମୀମାନେ ସହଯୋଗ କରିବା ସହ ଶାନ୍ତି ଶୃଙ୍ଖଳା ସହ ପଦଯାତ୍ରାକୁ ପରିଚାଳନା କରିଥିଲେ। ପ୍ରାଧିକରଣଙ୍କ କନିଷ୍ଠ କିରାଣୀ ପବନ କୁମାର ବେହେରା, ଗଦାଧର ବିଶ୍ୱାଳ, ଶ୍ରମିଳା ମଲ୍ଲିକ ଏବଂ ମୁଖ୍ୟ କିରାଣୀ ପ୍ରଦୀପ କୁମାର ପଣ୍ଡା ସହାୟତା କରିଥିବା ବେଳେ ସ୍ଥାନୀୟ ପୁଲିସ ମଧ୍ୟ ସହଯୋଗ କରିଥିଲେ।

Related posts