ଖଣି ନିଲାମ ବାତିଲ ଦାବୀରେ ରଣପୁରରେ ତହସିଲ ଘେରାଉ

ପଦାରେ ପଡ଼ିଲା ଖଣି ମାଫିଆ ଏବଂ ପ୍ରଶାସନର ଭିତିରି ବୁଝାମଣା।

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ଛପରି କୋଇଲମା ମୌଜାରେ ତହସିଲଦାର ନିଲାମ ଦେଇଥିବା ୪ଟି ମୁଗୁନି ପଥରଖଣିରେ ଖଣିମାଫିଆଙ୍କ ଆତଙ୍କ ରାଜ ବିରୋଧରେ ଗର୍ଜିଛନ୍ତି ଅଞ୍ଚଳବାସୀ। ଦୀର୍ଘଦିନ ଧରି ପ୍ରଶାସନ ଏବଂ ଖଣି ମାଫିଆଙ୍କ ଭିତିରି ବୁଝାମଣାରେ ଚାଲିଥିବା ମନମାନିର ଖୁଲୁମଖୁଲ୍ଲା ବିରୋଧ କରିଛି ସ୍ଥାନୀୟ ଜଙ୍ଗଲ ଓ ପରିବେଶ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି। ଏହିକ୍ରମରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବିଶାଳ ଜନ ଶୋଭାଯାତ୍ରା ରଣପୁର ପଞ୍ଚୁଦୋଳ ପଡିଆସ୍ଥିତ ସହୀଦମଣ୍ଡପ ଠାରୁ ବାହାରି ରଣପୁର ବଜ଼ାର ପରିକ୍ରମା କରିବା ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ତେବେ କ୍ରିୟାନୁଷ୍ଠାନ କମିଟି ସଭାପତି ଶରତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ବକ୍ତାମାନେ ପ୍ରଶାସନ ଏବଂ ଅସାଧୁ ଖଣି ମାଫିଆଙ୍କ ବିରୋଧରେ ପ୍ରବଳ ବର୍ଷିଥିଲେ।

ରଣପୁର ବ୍ଲକ ପ୍ରଶାସନ ଓ ମାଫିଆମାନଙ୍କ ଆସାଧୁ ମେଣ୍ଟକୁ ବକ୍ତାମାନେ ତୀବ୍ର ସମାଲୋଚନା କରିବା ସହ ବେଆଇନ ପଥର ଖଣି ଓ କ୍ରସର ନିଲାମକୁ ବାତିଲ କରିଵା, ଜଙ୍ଗଲ ଧ୍ୱଂସକାରୀ ନିଲାମ ଧାରୀଙ୍କୁ ଦଣ୍ଡଦେବା, ବ୍ଲାଷ୍ଟିଂ ତୁରନ୍ତ ବନ୍ଦ କରିବା, ବାହାର ଖଣି ମାଫିଆଙ୍କୁ ପ୍ରବେଶ ନିଷେଧ କରିବା, ଜଙ୍ଗଲ ସୁରକ୍ଷା ଓ ଜୀବ ଜନ୍ତୁଙ୍କୁ ସୁରକ୍ଷା ଦେବା ସହ ବ୍ଲାଷ୍ଟିଂ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପରିବାର ମାନଙ୍କର କ୍ଷୟକ୍ଷତିର ପରିମାଣକୁ ତଦନ୍ତ କରାଯାଇ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବୀ କରିଥିଲେ। ଆନ୍ଦୋଳନକାରୀମାନେ ରଣପୁର ତହସିଲ ସମ୍ମୁଖରେ ଗଣ ବିକ୍ଷୋଭ କରିବା ସହ ତହସିଲ କାର୍ଯ୍ୟାଳୟକୁ ଦୀର୍ଘ ସମୟ ଧରି ଅବରୋଧ କରିବା ଫଳରେ ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ ଯୁଗଳ କିଶୋର ମିଶ୍ର ଆନ୍ଦୋଳନକାରୀ ମାନଙ୍କୁ ବୁଝାଇବା ସହ ୭ ଦଫା ସମ୍ବଳିତ ଦାବୀର ବିଚାର କରାଯିବା ନିମନ୍ତେ ଦୃଢ଼ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଏହି ବିକ୍ଷୋଭ ସମାବେଶରେ ରଣପୁର ଅଞ୍ଚଳର ସୂର୍ଯ୍ୟ ମହାପାତ୍ର, ଗିରିଜା ମହାପାତ୍ର, ସୁରେଶ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିବା ବେଳେ ସତ୍ୟବ୍ରତ ନାୟକ, ଭିକାରୀ ଚରଣ ସାହୁ, ଭାଗୀ ନାୟକ, ମହାଦେବ ମହାରଣା, କୈଳାସ ସାହୁ ପ୍ରମୁଖ ବହୁ ଆନ୍ଦୋଳନ କାରୀ ବିକ୍ଷୋଭ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Related posts